ମଶାଣିରେ ପୋତା ହେବା ପୂର୍ବରୁ ଜିଇଁ ଉଠିଲା ଡାକ୍ତରଖାନାରେ ମୃତ ଘୋଷିତ ବ୍ୟକ୍ତି

255
ADVERTISEMENT

ଲକ୍ଷ୍ନୌ ୩/୭ (ଡି.ଏଚ.ବି) : ସୋମବାର ଦିନ ପୋତା ହେବା ପାଇଁ ମଶାଣିରେ କବର ଖୋଳା ସରିଥିବା ବେଳେ ମୃତବ୍ୟକ୍ତି ପୁଣି ଜିଇଁ ଉଠି ଶୋକସନ୍ତପ୍ତ ପରିବାରକୁ ସ୍ତବ୍ଧ କରି ଦେଇଛନ୍ତି। ଜିଇଁ ଉଠିଥିବା ବ୍ୟକ୍ତିଜଣକ ହେଉଛନ୍ତି ୨୦ ବର୍ଷିୟ ମହମ୍ମଦ ଫୁର୍‌କାନ୍‌। ଜୁନ୍‌ ୨୧ ତାରିଖରେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ଏବଂ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟ୍‌ ସହାୟତାରେ ରଖାଯାଇଥିଲା। ସେଠାରେ ଡାକ୍ତରମାନେ ସୋମବାର ଦିନ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଏବଂ ତାଙ୍କ ଶବକୁ ଆମ୍ବୁଲାନ୍‌ସ୍‌ରେ ଘରକୁ ଅଣାଯାଇଥିଲା । ତାଙ୍କ ବଡ଼ଭାଇ ମହମ୍ମଦ ଇର୍‌ଫାନ୍‌ କହନ୍ତି, ଶୋକାତୁର ହୋଇ ଆମେ ତାକୁ ପୋତିବାକୁ ନେବା ବେଳେ ତା’ର ଅଙ୍ଗପ୍ରତ୍ୟଙ୍ଗ ହଲୁଥିବାର ଦେଖିଲୁ। ତୁରନ୍ତ ଆମେ ଫୁର୍‌କାନକୁ ରାମମନୋହର ଲୋହିଆ ଡାକ୍ତରଖାନାକୁ ନେଲୁ ଓ ସେ ବଞ୍ଚିଛନ୍ତି କହି ତାଙ୍କୁ ଡାକ୍ତରମାନେ ଭେଣ୍ଟିଲେଟ୍‌ରେ ରଖିଲେ। ପୂର୍ବରୁ ଆମେ ସେ ଘରୋଇ ଡାକ୍ତରଖାନାକୁ ୭ ଲକ୍ଷ ଟଙ୍କା ଦେଇଛୁ। ଆମ ପାଖରେ ଆଉ ଟଙ୍କା ନାହିଁ ବୋଲି କହିବାରୁ ଫର୍‌କାନ୍‌ ମୃତ ବୋଲି ସେମାନେ ସୋମବାର ଦିନ ଘୋଷଣା କରିଦେଲେ। ରୋଗୀ ସଙ୍କଟାପନ୍ନ ଅବସ୍ଥାରେ ଅଛି ସତ, କିନ୍ତୁ ବ୍ରେନଡେଡ୍‌ ନୁହେଁ। ତାଙ୍କର ନାଡ଼ୀ, ରକ୍ତଚାପ ଏବଂ ରିଫ୍ଲେକ୍ସ୍‍ କାମ କରୁଛି। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଛି ବୋଲି ଜଣେ ଡାକ୍ତର କହିଛନ୍ତି।

ଲକ୍ଷ୍ନୌ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନରେନ୍ଦ୍ର ଅଗ୍ରଓ୍ଵାଲ୍‌ କହନ୍ତି: ଘଟଣା ସଂକ୍ରାନ୍ତରେ ଆମେ ଅବଗତ ଅଛୁ ଏବଂ ଏହାର ତଦନ୍ତ କରାଯିବ।


Advertisement