ମହିଳାଙ୍କ ଗର୍ଭଧାରଣ ଅଧିକାର ସୁରକ୍ଷା ଲାଗି ଯୁଗାନ୍ତକାରୀ ପଦକ୍ଷେପ; ସହାୟକ ଗର୍ଭଧାରଣ ପ୍ରଯୁକ୍ତି ନିୟାମକ ବିଲ ୨୦୨୦କୁ କ୍ୟାବିନେଟ ଅନୁମୋଦନ

280
Image: IBG news
ADVERTISEMENT

• କ୍ଲିନିକ ପାଇଁ ଆଚାର ସଂହିତା ଓ ସର୍ବନିମ୍ନ ମାନକ ନିର୍ଦ୍ଧାରଣ କରିବ ଜାତୀୟ ବୋର୍ଡ
• କେନ୍ଦ୍ରୀୟ ଡାଟାବେସ ପରିଚାଳନା ପାଇଁ ଗଠନ ହେବ ଜାତୀୟ ପଞ୍ଜିକରଣ କର୍ତ୍ତୃପକ୍ଷ
• ଲିଙ୍ଗ ନିରୂପଣ, ଭ୍ରୂଣ ବିକ୍ରୟ ଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବ

ନୂଆଦିଲ୍ଲୀ,୧୯/୨(ଡିଏଚ) ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦେଶର ମହିଳାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଏକ ଐତିହାସିକ ବିଲକୁ ଅନୁମୋଦନ କରିଛନ୍ତି । ଏହି ବିଲଟି ହେଉଛି ସହାୟକ ଗର୍ଭଧାରଣ ପ୍ରଯୁକ୍ତି ନିୟାମକ ବିଲ ୨୦୨୦ । ଏଥିସହିତ ସରୋଗେସୀ (କୃତ୍ରିମ ଗର୍ଭଧାରଣ) ନିୟାମକ ବିଲ ୨୦୨୦ ସଂସଦରେ ଉପସ୍ଥାପନ କରିବା ଏବଂ ଡାକ୍ତରୀ ପ୍ରକ୍ରିୟାରେ ଗର୍ଭପାତ ସଂଶୋଧନ ବିଲ ୨୦୨୦କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି । ଏସବୁ ବୈଧାନିକ ପଦକ୍ଷେପ ମହିଳାଙ୍କ ପ୍ରଜନନ ଅଧିକାରକୁ ସୁରକ୍ଷା ଦେବାରେ ଐତିହାସିକ ପଦକ୍ଷେପ ଭାବେ ବିବେଚିତ ହେବ ।

ଏହି ବିଲ ସଂସଦରେ ଗୃହୀତ ହେବା ପରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜରିଆରେ ଆଇନ କାର୍ୟ୍ୟକାରୀ ହେବାର ତାରିଖ ଘୋଷଣା କରିବେ । ଏହାପରେ ଏକ ଜାତୀୟ ବୋର୍ଡ ଗଠନ କରାଯିବ ।

ଏହି ଜାତୀୟ ବୋର୍ଡ କ୍ଲିନିକରେ କାର୍ୟ୍ୟ କରୁଥିବା ଲୋକଙ୍କ ପାଇଁ ଆଚାର ସଂହିତା ପ୍ରସ୍ତୁତ କରିବ । ଏହାବ୍ୟତୀତ କ୍ଲିନିକ ଓ ବ୍ୟାଙ୍କଗୁଡ଼ିକରେ ଭୌତିକ ଭିତ୍ତିଭୂମିର ସର୍ବନିମ୍ନ ମାନକ, ପରୀକ୍ଷାଗାର ଓ ନିଦାନ ସରଞ୍ଜାମ ଏବଂ ବିଶେଷଜ୍ଞ ପେସାଦାରଙ୍କ ନିଯୁକ୍ତି ଆଦିର ନୀତିନିୟମ ନିର୍ଦ୍ଧାରଣ କରିବ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇବାର ତିନି ମାସ ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ରାଜ୍ୟ ବୋର୍ଡ ଏବଂ ରାଜ୍ୟ କର୍ତ୍ତୃପକ୍ଷ ଗଠନ କରିବେ ।

କ୍ଲିନିକ ଏବଂ ବ୍ୟାଙ୍କ (କୃତ୍ରିମ ଗର୍ଭଧାରଣ କେନ୍ଦ୍ର) ଗୁଡ଼ିକ ପାଇଁ ଜାତୀୟ ବୋର୍ଡ ପକ୍ଷରୁ ଧାର୍ୟ୍ୟ କରାଯାଇଥିବା ନୀତି ଏବଂ ଯୋଜନାଗୁଡ଼ିକୁ ରାଜ୍ୟରେ କାର୍ୟ୍ୟକାରୀ କରିବାର ଦାୟିତ୍ୱ ରାଜ୍ୟ ବୋର୍ଡ ନିକଟରେ ରହିବ ।

ଏକ କେନ୍ଦ୍ରୀୟ ଡାଟାବେସ ପରିଚାଳନା କରିବା ଏବଂ ଜାତୀୟ ବୋର୍ଡର କାର୍ୟ୍ୟରେ ସହାୟତା ଲାଗି ଏକ ଜାତୀୟ ପଞ୍ଜିକରଣ କର୍ତ୍ତୃପକ୍ଷ ଗଠନ କରିବା ଲାଗି ବିଲ ରେ ମଧ୍ୟ ବ୍ୟବସ୍ଥା ରହିଛି । ଲିଙ୍ଗ ନିରୂପଣ, ମାନବ ଭ୍ରୂଣ ଓ ଜନନକୋଷ ବିକ୍ରୟ, ଏପରି ବେଆଇନ କାର୍ୟ୍ୟକଳାପ ପାଇଁ ସଂସ୍ଥା/ରାକେଟ/ସଂଗଠନ ଚଳାଉଥିବା ଲୋକଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଲାଗି ବିଲରେ ପ୍ରସ୍ତାବ ରହିଛି ।

ଲାଭ

ଏହି ଆଇନର ପ୍ରମୁଖ ଲାଭ ହେଉଛି ଏହା ଦେଶରେ ସହାୟକ ଗର୍ଭଧାରଣ ପ୍ରଯୁକ୍ତି ସେବାକୁ ନିୟନ୍ତ୍ରଣ କରିବାରେ ସଫଳ ହେବ । ଫଳରେ ସନ୍ତାନହୀନ ଦମ୍ପତି ଏଆରଟିଏସ କ୍ଷେତ୍ରରେ ଅଧିକ ବିଶ୍ୱସନୀୟ ଓ ସୁନିଶ୍ଚିତ ସେବା ପାଇପାରିବେ ।

Advertisement