• ସମୟ ସୀମାର ଦୁଇ ବର୍ଷ ପୂର୍ବରୁ ବାଘସଂଖ୍ୟା ଦ୍ୱିଗୁଣିତ
• ମାଇକ୍ରୋ ପ୍ଲାଷ୍ଟିକ ବର୍ଜ୍ୟ ଯୋଗୁଁ ହେଉଥିବା ପ୍ରଦୂଷଣ ମୁକାବିଲା ପାଇଁ ଖୁବ ଶୀଘ୍ର ପ୍ରଣୟନ ହେବ ସମୁଦ୍ର କଇଁଛ ସଂରକ୍ଷଣ ତଥା ସ୍ଥାୟୀ ସାମୁଦ୍ରିକ ପ୍ରବନ୍ଧନ ନୀତି
ନୂଆଦିଲ୍ଲୀ,୧୮/୨(ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଗାନ୍ଧୀନଗରଠାରେ ବନ୍ୟଜୀବଙ୍କ ପ୍ରବାସୀ ପ୍ରଜାତିଙ୍କ ସଂରକ୍ଷଣ ସମ୍ପର୍କିତ ୧୩ତମ ସିଓପି ସମ୍ମିଳନୀ ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଶ୍ୱରେ ବିବିଧତା ଭରା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ । ବିଶ୍ୱର ୨.୪ ପ୍ରତିଶତ ଭୌଗୋଳିକ କ୍ଷେତ୍ର ସହ ଭାରତ ଲୋକଲୋଚନକୁ ଆସିଥିବା ବିଶ୍ୱ ଜୈବ ବିବିଧତାରେ ପ୍ରାୟ ୮ ପ୍ରତିଶତ ଯୋଗଦାନ କରୁଛି । ଯୁଗ ଯୁଗ ଧରି ବନ୍ୟଜୀବ ଓ ସେମାନଙ୍କ ଆବାସସ୍ଥଳୀର ସଂରକ୍ଷଣ ଭାରତର ସାଂସ୍କୃତିକ ଲୋକାଚାରର ଅଂଶ ଭାବେ ରହିଛି, ଯାହା କରୁଣା ଓ ସହାବସ୍ଥାନକୁ ପ୍ରୋତ୍ସାହିତ କରୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଗାନ୍ଧିଜୀଙ୍କ ପ୍ରେରଣାରେ ଅହିଂସା ତଥା ଜୀବ ଓ ପରିବେଶ ସଂରକ୍ଷଣ ସିଦ୍ଧାନ୍ତକୁ ଦେଶର ସମ୍ବିଧାନରେ ଉପଯୁକ୍ତ ସ୍ଥାନ ଦିଆଯାଇଛି, ଯାହା ଅନେକ ଆଇନ ଓ ନୀତିରେ ପରିଲକ୍ଷିତ ହେଉଛି ।
ଭାରତର ବନ୍ୟାଞ୍ଚଳ ବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଏହା ଦେଶର ସମୁଦାୟ ଭୌଗୋଳିକ କ୍ଷେତ୍ରର ୨୧.୬୭ ପ୍ରତିଶତ । ଭାରତ ସଂରକ୍ଷଣ, ସତତ ଜୀବନଶୈଳୀ ଓ ହରିତ ବିକାଶ ଭଳି ମଡେଲ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ସମସ୍ୟା ମୁକାବିଲା ପାଇଁ ସମସ୍ତଙ୍କ ଠାରୁ ଆଗୁଆ ରହି କାମ କରୁଛି । ଏହି ସନ୍ଦର୍ଭରେ ଇଲେକ୍ଟ୍ରିକ ଯାନବାହାନ, ସ୍ମାର୍ଟ ସହର ଓ ଜଳ ସଂରକ୍ଷଣକୁ ଦେଶରେ ପ୍ରୋତ୍ସାହନ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଭାରତରେ ତାପମାତ୍ରା ବୃଦ୍ଧିକୁ ୨ ଡିଗ୍ରୀ ସେଲସିୟସରୁ କମ୍ ରଖିବାକୁ ପ୍ୟାରିସ ବୁଝାମଣାର ଲକ୍ଷ୍ୟ ଅନୁରୂପ କାମ କରାଯାଉଛି ।
କିଛି ବିଶେଷ ପ୍ରଜାତିର ସଂରକ୍ଷଣ ପାଇଁ ହୋଇଥିବା କାର୍ୟ୍ୟକ୍ରମର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳିଛି ।
୨୦୨୨ର ନିର୍ଦ୍ଧାରିତ ତାରିଖର ଦୁଇ ବର୍ଷ ପୂର୍ବରୁ ଭାରତ ବାଘ ସଂଖ୍ୟା ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରିଛି । ୨୦୧୦ରେ ବାଘ ସଂଖ୍ୟା ୧୪୧୧ ଥିବା ବେଳେ ଏହା ୨୯୬୭ରେ ପହଞ୍ଚି ସାରିଛି । ସମ୍ମିଳନୀରେ ଉପସ୍ଥିତ ବାଘ ବହୁଳ ଦେଶଗୁଡିକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ଯେ, ସେମାନେ ନିର୍ଦ୍ଧାରିତ ମାନକ ପ୍ରଣାଳୀକୁ ଜଣାଇ ବାଘ ସଂରକ୍ଷଣ ପ୍ରୟାସକୁ ଆଗେଇ ନିଅନ୍ତୁ । ବରଫ ଚିତା, ଏସୀୟ ସିଂହ, ଏକଶିଙ୍ଗିଆ ଗଣ୍ଡା ଓ ଗ୍ରେଟ ଇଣ୍ଡିଆନ ବଷ୍ଟାର୍ଡ ଭଳି ପ୍ରଜାତିର ସଂରକ୍ଷଣ ପାଇଁ ଦେଶରେ ହେଉଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଗିବି- ଦ ଗ୍ରେଟକୁ ସମ୍ମିଳନୀର ମାସ୍କଟ ବନାଇବା ଗ୍ରେଟ ଇଣ୍ଡିଆନ ବଷ୍ଟାର୍ଡକୁ ପ୍ରଦାନ କରା ଯାଉଥିବା ଗୁରୁତ୍ୱକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସମ୍ମିଳନୀର ପ୍ରତୀକ ଦକ୍ଷିଣ ଭାରତର ପାରମ୍ପରିକ କଳା- କୋଲମ ଦ୍ୱାରା ପ୍ରେରିତ । ପ୍ରକୃତି ସହିତ ସାମଞ୍ଜସ୍ୟ ବଜାୟ ରଖିବାରେ ଏହାର ବେଶ ଗୁରୁତ୍ୱ ରହିଛି । ଅତିଥି ଦେବୋ ଭବ ମନ୍ତ୍ର ସମ୍ମିଳନୀର ବିଷୟବସ୍ତୁ ପ୍ରବାସୀ ପ୍ରଜାତି ଗ୍ରହକୁ ଯୋଡିଥାନ୍ତି ଓ ଆମେ ସେମାନଙ୍କୁ ଏଠାକୁ ସ୍ୱାଗତ କରୁଛୁ ।
ଆଗାମୀ ତିନି ବର୍ଷ ପାଇଁ ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ଭାରତ ପ୍ରାଥମିକତା ଦେଉଥିବା କିଛି ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
ମଧ୍ୟ-ଏସିଆ କ୍ଷେତ୍ରରେ ପ୍ରବାସୀ ପକ୍ଷୀଙ୍କ ପାଇଁ ଭାରତକୁ ପ୍ରମୁଖ ମାର୍ଗର ଅଂଶ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଏହି ମାର୍ଗରେ ଯାତାୟତ କରୁଥିବା ପ୍ରବାସୀ ପକ୍ଷୀ ଓ ସେମାନଙ୍କ ବାସସ୍ଥଳୀ ସଂରକ୍ଷିତ କରିବାକୁ ଭାରତ ସରକାର ପ୍ରବାସୀ ପକ୍ଷୀ ସଂରକ୍ଷଣ ଜାତୀୟ କାର୍ୟ୍ୟଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ସନ୍ଦର୍ଭରେ ଅନ୍ୟ ଦେଶଗୁଡିକୁ ମଧ୍ୟ ଏପରି କାର୍ୟ୍ୟଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବାକୁ ଭାରତ ଆଗ୍ରହୀ । ଭାରତ ମଧ୍ୟ-ଏସୀୟ ଫ୍ଲାଇୱେ କ୍ଷେତ୍ରରେ ଥିବା ଦେଶଗୁଡ଼ିକର ସକ୍ରିୟ ସହଯୋଗ ଦ୍ୱାରା ପ୍ରବାସୀ ପକ୍ଷୀଙ୍କ ସଂରକ୍ଷଣକୁ ନୂତନ ଦିଗନ୍ତ ଦେବାକୁ ଚାହେଁ ।
ଆସିଆନ ଦେଶ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀ ଦେଶଗୁଡ଼ିକ ସହିତ ସହଯୋଗ ମଜବୁତ ପାଇଁ ଭାରତ ଆଗ୍ରହୀ । ଇଣ୍ଡୋ-ପାସିଫିକ ଓସେନ ଇନିସିଏଟିଭ (ଓଚଙଓ) ଅନୁଯାୟୀ ଏହା କରାଯିବ ଓ ଭାରତ ନେତୃତ୍ୱ ଭୂମିକା ତୁଲାଇବ । ଦେଶରେ ୨୦୨୦ ସୁଦ୍ଧା ସାମୁଦ୍ରିକ କଇଁଛ ପ୍ରଜାତି ସଂରକ୍ଷଣ ନୀତି ଓ ସାମୁଦ୍ରିକ ଷ୍ଟ୍ରାଣ୍ଡିଙ୍ଗ ପ୍ରବନ୍ଧନ ନୀତି ହେବ । ଏହାଦ୍ୱାରା ସମୁଦ୍ରରେ ପ୍ଲାଷ୍ଟିକ ବର୍ଜ୍ୟ ଯୋଗୁଁ ହେଉଥିବା ପ୍ରଦୂଷଣ ରୋକା ଯାଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକକ ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ ପରିବେଶ ସଂରକ୍ଷଣ ପାଇଁ ଏକ ଆହ୍ୱାନ ଓ ଭାରତରେ ଏହାର ଉପଯୋଗ କମ କରିବାକୁ ଭାରତ ମିଶନ ମୋଡରେ ଅଛି ।
ଭାରତର କେତେକ ସଂରକ୍ଷିତ କ୍ଷେତ୍ର ପଡୋଶୀ ଦେଶମାନଙ୍କ ସଂରକ୍ଷିତ କ୍ଷେତ୍ରର ସୀମା ସହିତ ମିଶିଛି । ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସୀମା ପାର ସଂରକ୍ଷିତ କ୍ଷେତ୍ର ସ୍ଥାପନରେ ଏହା ସକାରାତ୍ମକ ଭୂମିକା ଗ୍ରହଣ କରିବ । ନିରନ୍ତର ବିକାଶ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇ, ପରିବେଶ ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳରେ ସରକାର ରେଖାଙ୍କିତ ଭିତ୍ତିଭୂମି ନୀତି ଦିଶାନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ସବକ୍ ସାଥ, ସବକା ବିକାଶ ଭାବନା ଦ୍ୱାରା କିପରି ଦେଶର ଜଙ୍ଗଲ ଆଖପାଖରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସଂଯୁକ୍ତ ବନ ପ୍ରବନ୍ଧନ ସମିତି ଓ ପରିବେଶ ଉନ୍ନୟନ ସମିତିରେ ସାମିଲ କରି ଜଙ୍ଗଲ ଓ ବନ୍ୟପ୍ରାଣୀ ସଂରକ୍ଷଣ କରାଯାଉଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ।