ପଦ୍ମପୁର, ୧୦।୨(ରାକେଶ କୁମାର ଦାସ ) : ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ନୂଆଁପାଲିଠାରେ ଥିବା ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠର ଅଷ୍ଟାଦଶ ବାର୍ଷିକ ଉତ୍ସବ ଗୁରୁକୂଳ କନ୍ୟାଶ୍ରମ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ବିକେବାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ଡ଼, ସୋମଦେବ ଶତାଂଶୁ, ଗୁରୁକୂଳର ଅଧ୍ୟକ୍ଷ ଭଗବାନ ଦେବ, ଆଚାର୍ଯ୍ୟ ବୃହଷ୍ପତି, ଦୟାନନ୍ଦ ଶର୍ମା, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ମଂଚାସୀନ ଥିଲେ । ମନ୍ତ୍ରୀ ପ୍ରଧାନ ତାଙ୍କର ବକ୍ତବ୍ୟରେ କହିଲେ ଯେ, ପରମ୍ପରାଗତ ଶିକ୍ଷା ସହ ନୀତିଯୁକ୍ତ ଶିକ୍ଷା ସଂସ୍କୃତ, ଗୋସେବା, କୃଷି ତଥା ନୈତିକଶିକ୍ଷା ଗୁରୁକୂଳରେ ଦିଆଯାଉଛି । ନୀତିଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ଏହି ଆଶ୍ରମ ସ୍ଥାପନ ଏକ ମହତ ପଦକ୍ଷେପ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଧାନ କହିଛନ୍ତି । ଏହାକୁ ଏକ ବିଶ୍ୱ ବିଦ୍ୟାଳୟର ରୂପ ଦେବା ପାଇଁ ଏହି ଅଂଚଳବାସୀଙ୍କ ଯେଉଁ ସଂକଳ୍ପ ରହିଛି ତାହା ନିଶ୍ଚୟ ପୂରଣ ହେବ ବୋଲି ସେ କହିଥିଲେ ।