ବାଲେଶ୍ବର,୭/୨(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ତହସିଲ କୁପାରୀ ରାଜସ୍ବକ୍ଷେତ୍ର ଅଧିନ ଶାରିଶୁଆ ପାହାଡ ପାଦଦେଶରେ ଅଛି ଅନେକ ପଥରଖଣି । କୌଣସି କାରଣରୁ ପଥରଖଣି ଗୁଡିକ ବନ୍ଦ ହୋଇଛି । ବ୍ଲାଷ୍ଟିଙ୍ଗ୍ ବନ୍ଦ କରିବା କିମ୍ବା କୌଣସି ଖଣିରୁ କଞ୍ଚାମାଲ ଉତ୍ତୋଳନ ନ କରିବା ପାଇଁ ତହସିଲ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରିଥିଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଖଣିକୁ ବନ୍ଦ କରାଯାଇ ଥିବାରୁ କୌଣସି ଖଣି ଲିଜଧାରି ବ୍ଲାଷ୍ଟିଙ୍ଗ୍ କରି ପଥରଖଣିକୁ ବ୍ଯଵହାର କରିପାରିବେ ନାହିଁ କି ଖଣିରେ ଥିବା ଖଣିଜ ପଦାର୍ଥକୁ ଗାଡିରେ ପରିବହନ କରିପାରିବେ ନାହିଁ । ଏହାସତ୍ତ୍ବେ ବି ଶାରିଶୁଆ ପାହାଡ ଖଣି ଅଞ୍ଚଳରେ ଗାଡି ଦ୍ବାରା ଚାଲିଛି ଖଣିଜ ପଦାର୍ଥ ପରିବହନ । ଖଣିଜ ପଦାର୍ଥ ପରିବହନରେ କୌଣସି ଗାଡି କେହି ବ୍ଯଵହୃତ କରିପାରିବେ ନାହିଁ ବୋଲି ପ୍ରଚାର କରିଥିଲେ ମଧ୍ୟ ଚାଲିଛି ଗାଡି । ହେଲେ ପ୍ରଚାର, ପ୍ରଚାର ଜାଗାରେ ରହିଗଲା । ବର୍ତ୍ତମାନ ସୁଦ୍ଧା ମାଲ ପରିବହନ ବନ୍ଦ ହୋଇଥିବାର ନଜରକୁ ଆସିନାହିଁ । ଟ୍ରାକ୍ଟର ଯୋଗେ ଖଣି ମାଲ ପରିବହନ ହେଉଥିବାର ଦେଖାଯାଇଛି । ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ଖଣି ବନ୍ଦ ପାଇଁ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର ହେଲା, ତା’ ହେଲେ ଖଣି ଅଞ୍ଚଳରେ ଟ୍ରାକ୍ଟର ଯୋଗେ ଖଣିଜ ପଦାର୍ଥ ପରିବହନ ହେଉଛି କେମିତି ? ତହସିଲ ପ୍ରଶାସନ ଓ ଖଣି ମାଫିଆ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଖେଳ ଚାଲିନି ତ ? ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଖଇରା ତହସିଲ ଦୁର୍ନୀତିର ଗନ୍ତାଘର ପାଲଟି ଗଲାଣି । ଯିଏବି ତହସିଲକୁ ଆସୁଛି ସେ କିପରି ରାତାରାତି ମାଲାମାଲ ହେବ ଲାଗିପଡୁଛି , ଯେହେତୁ ଖଣିଜ ସମ୍ପଦଭରା ଏହି ଖଇରା ତହସିଲର ଉପୁରି ଆୟ ବହୁତ ଅଛି, ଖାଲି କରିପାରିଲେ ହେଲା ,ତେଣୁ ଥରେ ଯିଏ ଏଠାକୁ ଆସୁଛି ସାତପୁରୁଷ ପର୍ଯ୍ୟନ୍ତ ଉପୁରି ନ କମେଇଲା ପର୍ଯ୍ୟନ୍ତ ଯିବାକୁ ଚାହେଁ ନାହିଁ । ସେ ଦୃଷ୍ଟିରୁ କୌଣସି କର୍ମଚାରୀ ବି କମ୍ ନୁହନ୍ତି । ଏଠି ଜନସାଧାରଣଙ୍କ କାମ ବିଳମ୍ବରେ ହୁଏ ,ଖଣିମାଫିଆ ମାନଙ୍କ କାମ ଆଗେ ହୁଏ କାରଣ ସେମାନଙ୍କ ସହିତ ଭିତିରିଆ ସମ୍ପର୍କ ଅଛି । ସରକାରଙ୍କ ନିୟମ ଅନୁସାରେ କେହି ସର୍ବସାଧାରଣ କାମ କରନ୍ତି ନାହିଁ । ବର୍ଷ ବର୍ଷ ଧରି ଉକ୍ତ ତହସିଲରେ ରହିଛନ୍ତି ଅନ୍ୟତ୍ର ବଦଳି ହେଉ ନାହାନ୍ତି । ସରକାରଙ୍କ ଖଣିଜ ଆଇନ ଏଠି ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି । ତହସିଲ ପ୍ରଶାସନର ନଜରରେ ଖଣିଜ ପଦାର୍ଥ ପରିବହନ ହେଉଥିବାର ସର୍ବସାଧାରଣରେ ଆଲୋଚନା ହେଉଥିବାର ଜଣାଯାଇଛି । ଖଣିମାଫିଆଙ୍କ ସହିତ ତହସିଲ ପ୍ରଶାସନର ଭିତିରିଆ ସମ୍ପର୍କ ଥିବାରୁ ଜାଣିଶୁଣି ପ୍ରଶାସନ ନୀରବ ରହୁଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି । ଏବାବଦରେ ତହସିଲଦାର ପ୍ରଦୀପ କୁମାର ସାହୁଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା ।
