ବାଲେଶ୍ଵର,୨୪/୧ (ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ପଳସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଖଇରା ନିମ୍ନ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକାଦଶତମ ଯଦୁନାଥ ସ୍ମୃତି ଶିଶୁ ପ୍ରତିଭା ଅନ୍ବେଷଣ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଅଧିବେଶନରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ପ୍ରଥମ ଅଧିବେଶନରେ ଦାମୋଦର ସେଣ୍ଢଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଆରସିସି ତଥା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସୁଦର୍ଶନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ଜିଲ୍ଲା ନିଖିଳ ଉତ୍କଳ ନିମ୍ନ ମାଧ୍ଯମିକ ଶିକ୍ଷକ ସଂଘର ବଳଭଦ୍ର ମିଶ୍ର ଓ ସମ୍ପାଦକ ସୁକୁମାର ପାଣିଗ୍ରାହୀ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ସେହିପରି ୨ୟ ଅଧିବେଶନରେ ଦାମୋଦର ସେଣ୍ଢଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଧରଣୀଧର ପାତ୍ର, ମୁଖ୍ୟବକ୍ତା ରାଜ୍ୟ ନିଖିଳ ଉତ୍କଳ ନିମ୍ନ ମାଧ୍ଯମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା,ସମ୍ମାନିତ ଅତିଥି ଭାବେ ନିଖିଳ ଉତ୍କଳ ନିମ୍ନ ମାଧ୍ଯମିକ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ଦାସ,ରାଜ୍ୟ କୋଷାଧ୍ୟକ୍ଷ ଜୟପ୍ରକାଶ ପଣ୍ଡା, ଶିକ୍ଷକ ଦର୍ପଣ ସମ୍ପାଦକ ତପନ କୁମାର ତ୍ରିପାଠୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନହଙ୍ଗର ଭାଗବତ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ଯ ପ୍ରଦାନ କରିଥିଲେ । ବାର୍ଷିକ ବିବରଣୀ ପାଠ କରିଥିଲେ ସଂଘ ସମ୍ପାଦକ ନିତ୍ଯାନନ୍ଦ ସାହୁ । ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ବେଳେ ରଙ୍ଗାଧର ରାଉଳ, ରମ୍ଭାମଣୀ ଦେଇ,ଏକାଦଶୀ ପ୍ରଧାନ, ଯଦୁନାଥ ମହାନ୍ତି, ରବି ଚରଣ ବିଶ୍ବାଳ,ବିଶ୍ଵନାଥ ମହାନ୍ତି ଓ ଶରତ କୁମାର ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହିତ ଚଳିତ ବର୍ଷ ପାଇଁ ଯଦୁନାଥ ସ୍ମୃତି କମିଟି ତରଫରୁ ବିଷ୍ଣୁ ପ୍ରସାଦ ବହଳିଙ୍କୁ ଆଦର୍ଶ ଶିକ୍ଷକ ଭାବରେ ସମ୍ମାନିତ କରାଯାଇଥିଲା । ଦିବସବ୍ଯାପୀ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ମାନସ ବାରିକଙ୍କ ସମେତ ସଙ୍ଘର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ମଞ୍ଚପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ କୈଳାସ ଚନ୍ଦ୍ର ସେଣ୍ଢ ।