ନୂଆପଡ଼ା,୧୦।୧(ଡି.ଏଚ/ମନୋଜ କୁମାର ରଣା) : ସରକାରୀ ସୁବିଧା ସୁଯୋଗ ଉପରେ ଭରସା କରି ସୁରକ୍ଷିତ ମାତୃତ୍ଵ ପାଇଁ ପରିବାର ଲୋକେ ଗର୍ଭବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂଆପଡ଼ାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ମା’ ଓ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପ୍ରସୂତି ମୃତ୍ୟୁକୁ ନେଇ ପୂର୍ବରୁ ନାନା ଅପବାଦ ମୁଣ୍ଡାଇଥିବା ନୂଆପଡ଼ା ଜିଲ୍ଲା ଡାକ୍ତରଖାନା ପୁଣି ଥରେ ବିବାଦ ଘେରକୁ ଚାଲି ଆସିଛି । ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୀର୍ଘ ସମୟ ଯାଏ ଚାପା ଉତ୍ତେଜନା ଲାଗି ରହିଥିଲା । ସଦର ପୁଲିସ ଡାକ୍ତରଖାନାରେ ପହଞ୍ଚି ପରିବାର ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା । କୋମନା ଥାନା ଝଗ୍ରାହୀ ପଞ୍ଚାୟତ କୁଟ୍ରିବାହାଲ ଗାଁର ଜଗଦୀଶ ନାଗଙ୍କ ସ୍ତ୍ରୀ ୨୮ ବର୍ଷିୟା ଦୁଃଶୀଳା ନାଗଙ୍କର ଗର୍ଭଯନ୍ତ୍ରଣା ହେବାରୁ ଗତ ୫ ତାରିଖରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା । ଗତ ମଙ୍ଗଳବାର 0୭ତାରିଖ ମଧ୍ୟାହ୍ନ ୧ଟାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିଲା , ହେଲେ ଦିନେ ଦୁଇ ଦିନ ଏସିଡିରେ ରଖୁବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଦୁଇ ଝିଅ ପରେ ପୁତ୍ର ସନ୍ତାନଟିଏ ପାଇ ପରିବାର ଲୋକେ ଖୁସି ହୋଇଥିଲେ। ହେଲେ କିଛି କ୍ଷଣର ଖୁସି ପରେ ସବୁ ଓଲଟପାଲଟ ହୋଇ ଯାଇଥିଲା। ବୁଧବାର ସକାଳ ୯ଟାରେ ହସ୍ପିଟାଲ କର୍ତ୍ତୃପକ୍ଷ ଶିଶୁପୁତ୍ରର ମୃତଦେହକୁ ହଠାତ୍ ପରିବାର ଲୋକଙ୍କୁ ଧରାଇ ଦେଇଥିଲେ । ସୁସ୍ଥ ସବଳ ଶିଶୁର କେମିତି ମୃତ୍ୟୁ ହେଲା ବୋଲି ପରିବାର ଲୋକେ ସହଜରେ ଗ୍ରହଣ କରି ପାରିନଥିଲେ । ପୁଅର ମୃତ୍ୟୁ ଖବର ଶୁଣି ପ୍ରସୂତିଙ୍କ ସ୍ଵାସ୍ଥ୍ୟବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଥିଲା । ପ୍ରସୂତିଙ୍କ ଦେହରେ ରକ୍ତ କମ ରହିଥିବାରୁ ଡାକ୍ତର ତାଙ୍କୁ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ବହୁ କଷ୍ଟରେ ରକ୍ତ ଯୋଗାଡ଼ କରି ଚିକିତ୍ସା କରାଇଥିଲେ।ହେଲେ ଆଜି ଭୋରରୁ ହଠାତ ଦୁଃଶୀଳାଙ୍କ ମୃତ୍ୟୁ ହୋଇଥିଲା । ପ୍ରସୂତିଙ୍କ ମୃତ୍ୟୁ ପରେ ଶବ ଘରକୁ ନେଇ ଯିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ କହିଥିଲେ। ହେଲେ ହଠାତ୍ ପ୍ରସୂତିଙ୍କ ମୃତ୍ୟୁକୁ ପରିବାର ଲୋକେ ବିଶ୍ୱାସ କରି ପାରିନଥିଲେ। ଡାକ୍ତରଙ୍କ ଅବହେଳାରୁ ପ୍ରସୂତି ଓ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକେ ପହଞ୍ଚିବାରୁ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ସଦର ଥାନା ଏସଆଇ ଜିତୁ ମହାନନ୍ଦ,ବବିତାରାଣୀ ପୁହାଣ, ଏଏସ୍ଆଇ ବିନୟ କେର୍କେଟା, ଶଙ୍କର ଏକ୍କାପ୍ରମୁଖ ହସ୍ପିଟାରେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝା ସୁଝା କରିଥିଲେ। ପୁଲିସର ହସ୍ତକ୍ଷେପ ପରେ ପରିବାର ଲୋକେ ମୃତଦେହ ଧରି ଘରକୁ ଫେରିଥିଲେ।ଏନେଇ ସିଡିଏମ୍ଓ କାଳୀଚରଣ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ପ୍ରସୂତି ମହିଳାଙ୍କୁ ସିକିଲସେଲ ଏନିମିଆ ଡିଜିଟ ରହିଥିଲା । ଗତକାଲି ରାତିରେ କ୍ରାଇସିସ୍ ଡେଭଲପ ହୋଇଥିଲା । ତାଙ୍କୁ ଯାହା କିଛି ମେଡିସିନ ଦେବା କଥା ଡାକ୍ତରମାନେ ସମସ୍ତ ଔଷଧ ଦେଇଛନ୍ତି । ଡାକ୍ତର ତାଙ୍କୁ ବଞ୍ଚାଇବାକୁ ବହୁ ଚେଷ୍ଟା କରିବା ପରେ ବି ମୃତ୍ୟୁ ହୋଇଥିଲା ।ଚିକିତ୍ସାରେ କୌଣସି ଅବହେଳା ହୋଇ ନାହିଁ ବୋଲି କହିଥିଲେ । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମା ଓ ଶିଶୁ ମୃତ୍ୟୁ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ବାରମ୍ବାର ଜନନୀ ଓ ନବଜାତକଙ୍କ ମୃତ୍ୟୁ ହେଉଥିବା ଶୁଣିବାକୁ ମିଳିଛି ।
ଅଭିଯୋଗ ହୋଇଆସୁଛି, ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଏଠି ବାରମ୍ବାର ଏମିତି ଅଘଟଣ ଘଟୁଛି । ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଗାଁ ଗହଳିରେ ନିରୀହ ମହିଳା ଓ ଶିଶୁଙ୍କ ଜୀବନ ଚାଲିଯାଉଛି । ଏହି ଘଟଣାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ତଥା ସ୍ଵାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ପରିବାର ଲୋକେ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି ।