ବାଲେଶ୍ବର,୨୦।୧୨(ଡି.ଏଚ/ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଔପଦା ଯୁକ୍ତ ଦୁଇ କଲେଜର ପ୍ରାଣ ପ୍ରତିଷ୍ଠାତା ହରେକୃଷ୍ଣ ମହାପାତ୍ରଙ୍କ ନବମ ଶ୍ରାଦ୍ଧ ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ଯକ୍ଷ ବ୍ରଜକିଶୋର ପାଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ହରେକୃଷ୍ଣ ମହାପାତ୍ର ସାହିତ୍ୟ ପରିଷଦର ସମ୍ପାଦକ ରାଧାଶ୍ଯାମ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିଥି ଭାବେ ରୁପା ଥାଳିଆ ଶିଶୁ କିଶୋର ପତ୍ରିକାର ସମ୍ପାଦକ ନିରଞ୍ଜନ ପ୍ରସାଦ ବାରିକ,ପ୍ରାଧ୍ୟାପକ ସନ୍ତୋଷ କୁମାର ପ୍ରଧାନ , ଇତିହାସ ବିଭାଗର ବରିଷ୍ଠ ଅଧ୍ଯାପକ ଆଦିତ୍ଯ କୁମାର ଆଚାର୍ଯ୍ୟ, ଓଡିଆ ଅଧ୍ଯାପକ ମନୋଜ କୁମାର ସାହୁ,କର୍ମଚାରୀ ଦୈତାରି ପାଢୀ ଯୋଗଦେଇ ସ୍ବର୍ଗତ ମହାପାତ୍ରଙ୍କର ଔପଦା ଅଞ୍ଚଳକୁ ଦେଇଯାଇଥିବା ଦାନ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ସାମ୍ବାଦିକ ତଥା ତଳକିଆ ପଞ୍ଚାୟତର ସମିତି ସଭ୍ଯ ଅଶୋକ ପ୍ରଧାନ ଯୋଗଦେଇ ପୂଜ୍ଯପୂଜାର ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ପୂଜ୍ଯଙ୍କୁ ପୂଜା କରିବା ହେଉଛି ନୈତିକ ମୂଲ୍ୟବୋଧ । ଅତୀତକୁ ଭୁଲିଲେ ବର୍ତ୍ତମାନକୁ ସଜାଡି ହେବ ନାହିଁ ବୋଲି ବକ୍ତାମାନେ ସେମାନଙ୍କ ବକ୍ତବ୍ଯରେ କହିଥିଲେ । ଔପଦା ମହୋତ୍ସବରେ ଏହି ଔପଦା ଯୁକ୍ତ ଦୁଇ କଲେଜର ସର୍ବାଧିକ ନମ୍ବର ରଖି ପାସ୍ କରି ଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ଵୋଲି ଉକ୍ତ ସଭାରେ ଘୋଷଣା କରାଯାଇଥିଲା । ଶେଷରେ ଶିଶୁ ସାହିତ୍ଯିକ ନିରଞ୍ଜନ ପ୍ରସାଦ ବାରିକ ଏଭଳି କାର୍ଯ୍ଯକ୍ରମ କରିବାରେ ସମସ୍ତଙ୍କ ସହଯୋଗକୁ ପ୍ରଶଂସା କରି ଧନ୍ୟବାଦ ଅର୍ପଣ କରିଥିଲେ ।