ଜୁନ ୧୭ରେ ଡାକ୍ତରଙ୍କ ଦେଶବ୍ୟାପୀ ବନ୍ଦ ଡାକରା

353
ADVERTISEMENT

ନୂଆଦିଲ୍ଲୀ, ୧୫/୬(ଡି.ଏଚ.ବି): ପଶ୍ଚିମବଙ୍ଗର ଏକ ହସ୍ପିଟାଲର କନିଷ୍ଠ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାକୁ ନେଇ କନିଷ୍ଠ ଡାକ୍ତର ଓ ମେଡିକାଲ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଉଗ୍ର ରୂପ ନେଇଛି। ପଶ୍ଚିମବଙ୍ଗ ଡାକ୍ତରଙ୍କ ସମର୍ଥନରେ ସର୍ବଭାରତୀୟ ଡାକ୍ତର ସଂଘ(ଆଇଏମଏ) ପକ୍ଷରୁ ତିନି ଦିନିଆ ବିକ୍ଷୋଭ ପ୍ରଦର୍ଶନ ଆହ୍ବାନ କରାଯାଇଛି। ଏଥିସହିତ ଜୁନ ୧୭ରେ ଦେଶବ୍ୟାପୀ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଡାକରା ଦିଆଯାଇଛି। ସେଦିନ ପୂର୍ବାହ୍ଣ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ଓ କୌଣସି ପ୍ରକାରର ଡାକ୍ତରୀ ସେବା ସେହିଦିନ ପ୍ରଦାନ କରାଯିବ ନାହିଁ। ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏଥିରେ ଦେଶର ୩.୫ଲକ୍ଷ ଡାକ୍ତର ସାମିଲ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କୁ ଅତିକମରେ ୭ବର୍ଷ କାରା ଦଣ୍ଡାଦେଶ ଦେବାକୁ ସେମାନେ ଦାବି କରିଛନ୍ତି ବୋଲି ଆଇଏମଏ ଗତକାଲି ସ୍ପଷ୍ଟ କରିଛି।

କୋଲକତାର ଏନଆରଏସ ମେଡିକାଲ କଲେଜରେ କିଛି ଦୁର୍ବୃତ୍ତ ଡାକ୍ତର ପରିବାହ ମୁଖାର୍ଜୀଙ୍କୁ ଯେଭଳି ଆକ୍ରମଣ କଲେ ତାହାକୁ ଆଇଏମଡି ଦୃଢ ନିନ୍ଦା କରିଛି। ଏଥିନେଇ ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ଦାବି କରିଛି। ରାଜ୍ୟ ସରକାର ନିଃସର୍ତ୍ତ ଭାବେ କନିଷ୍ଠ ଡାକ୍ତରଙ୍କର ସମସ୍ତ ଦାବି ପୂରଣ କରିବା ଉଚିତ ବୋଲି, ଆଇଏମଏ ସାଧାରଣ ସମ୍ପାଦକ ଆର.ଭି ଅଶୋକନ କହିଛନ୍ତି। ସମସ୍ୟା ସମାଧାନ ପାଇଁ ଡାକ୍ତରଙ୍କ ପକ୍ଷରୁ ମମତାଙ୍କ ନିକଟରେ ୬ଟି ସର୍ତ୍ତ ରଖାଯାଇଛି। ଅନ୍ୟପଟେ ଦେଶର ସରକାରୀ ଡାକ୍ତରମାନଙ୍କ ସୁରକ୍ଷାନେଇ ପ୍ରତ୍ୟେକ ସରକାରୀ ହସ୍ପିଟାଲରେ ସୁରକ୍ଷା କର୍ମୀ ନିଯୁକ୍ତ କରିବା ସହିତ ନିର୍ଦ୍ଦେଶାବଳୀ ଜାରିକରିବା ନେଇ ଆଇନଜୀବୀ ଆଲୋକ ଶ୍ରୀବାସ୍ତବ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି।

ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ପରିଚାଳିତ ଡାକ୍ତରଖାନାର ପ୍ରାୟ ୩୦୦ଡାକ୍ତର ଶୁକ୍ରବାର ଇସ୍ତଫା ପ୍ରଦାନ କରିଛନ୍ତି। ଏମାନଙ୍କ ମଧ୍ୟରେ କଲିକତାର ୬୯, ଦାର୍ଜିଲିଂର ୨୭, ବୀରଭୂମର ୩୭ ଡାକ୍ତର ଅନ୍ତର୍ଭୁକ୍ତ। ପଶ୍ଚିମବଙ୍ଗ ଡାକରଙ୍କ ବିକ୍ଷୋଭ ପରିପ୍ରେକ୍ଷୀରେ ଦିଲ୍ଲୀ, ଉତ୍ତରପ୍ରଦେଶ, ଛତିଶଗଡ଼, ଜାମ୍ମୁ-କାଶ୍ମୀର, ରାଜସ୍ଥାନରେ ଡାକ୍ତରମାନେ କଳାପଟି ବାନ୍ଧି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ପଶ୍ଚିମବଙ୍ଗ ଡାକ୍ତରମାନଙ୍କ ଅସନ୍ତୋଷ ତୀବ୍ରତର ହୋଇଥିବା ବେଳେ ସ୍ଥିତି ସମ୍ଭାଳିବା ଲାଗି ବିଗତ ୭ଦିନ ମଧ୍ୟରେ କି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୋଲକତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ତୁରନ୍ତ ଏହାର ସମାଧାନର ବାଟ ବାହାର କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି।

Advertisement