ହିଞ୍ଜିଳିକାଟୁ, ୧୩ା୬(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ନିର୍ଜଳା ଏକାଦଶୀ ଉପଲକ୍ଷେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀମଦନମୋହନ ଶ୍ରୀକୃଷ୍ଣଙ୍କ ସହ ଶ୍ରୀଦେବୀ ମାତେ ଋକ୍ମିଣୀଙ୍କ ପାରମ୍ପରିକ ବିବାହତ୍ସୋବ ମହାଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଯାଇଛି । ସାନ୍ଧ୍ୟ ଆଳତିପରେ ଋକ୍ମିଣୀ ଦେବୀ, ମା’ବିମଳାଙ୍କ ମନ୍ଦିରକୁ ଦର୍ଶନ ପାଇଁ ବିଜେ କରିଥିଲେ । ସେଠାରୁ ସେ, ଜଣେ ବ୍ରାହ୍ମଣ ଭକ୍ତଙ୍କ ଦ୍ୱାରା, ଶ୍ରୀଜଗନ୍ନାଥଙ୍କ ନିକଟକୁ ଏକ ପତ୍ର ଲେଖି ପଠାଇଥିଲେ । ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଖ୍ୟ ପୂଜକ କୃଷ୍ଣଚନ୍ଦ୍ର ପଣ୍ଡା ସେହି ପତ୍ର ପାଠ କରିଥିଲେ । ‘ଋକ୍ମିଣୀଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କର ପିତା ଭ୍ରାତା ଶିଶୁପାଳ ସହ ତାଙ୍କର ବିବାହ କରାଉଥିବାରୁ ସେ ବିମଳା ମନ୍ଦିରରେ ଲୁଚି ରହିଛନ୍ତି । ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କୁ ପୂର୍ବରୁ ସେ ପତି ରୂପେ ବରଣ କରି ସାରିଥିବାରୁ ପ୍ରଭୁ ନିଜେ ଆସି ତାଙ୍କୁ ବରଣ କରି ନିଜ ପାଖକୁ ନେଇ ବିବାହ ହୁଅନ୍ତୁ, ନଚେତ ସେ ଜୀବନ ହାରିଦେବେ ।’ ତତ୍ପରେ ସଙ୍ଗେ ସଙ୍ଗେ ଶ୍ରୀ ମଦନମୋହନଙ୍କୁ ଏକ ପଟୁଆରରେ ଭକ୍ତମାନେ ବିମାନରେ ନେଇ ଆସିଥିଲେ ।

ପରେ ଜଗମୋହନଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ଅନୁସାରେ ବୈଦିକ ରୀତିରେ ଆୟୋଜିତ ମଣ୍ଡପରେ ଠାକୁର ଠାକୁରାଣୀଙ୍କ ବିବାହତ୍ସୋବ ଅନୁଷ୍ଠିତ ହୋଇଥିଲା । ସମବେତ ଭକ୍ତମାନେ ବରପକ୍ଷ ଓ କନ୍ୟାପକ୍ଷ ଭାବେ ଦୁଇଦଳରେ ବିଭକ୍ତ ହୋଇ ଉତ୍ସବରେ ଅଂଶଗ୍ରହଣ କରିଥିଲେ । କର୍ତ୍ତା-କର୍ତ୍ତୀ ରୂପେ ଭକ୍ତ ସୁରେଶ ସାହୁ ଓ ଉପେନ୍ଦ୍ର ପାତ୍ର ନିଜ ଧର୍ମପତ୍ନୀମାନଙ୍କ ସହ ଉପବେଶନ କରିଥିଲେ । ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ରଞ୍ଜିତ ଦାଶ ଶର୍ମା ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ । ଉକ୍ତ ବିବାହତ୍ସୋବ ଦର୍ଶନ ସକାଶେ ମନ୍ଦିର ପରିସରରେ ବହୁ ମହିଳା ଓ ପୁରୁଷ ଭକ୍ତଙ୍କ ସମାଗମ ଆଜି ହୋଇଥିଲା ।