ନୂଆଦିଲ୍ଲୀ, ୧୩/୬(ଡ଼ି.ଏଚ.ବି): ନିଖୋଜ ହୋଇଯାଇଥିବା ବାୟୁସେନା ବିମାନ ଏଏନ୍-୩୨ର ପତ୍ତା ମିଳିବାପରେ ଦୁର୍ଘଟଣା ଘଟିଥିବା ସ୍ଥଳରେ ଆଜି ସକାଳେ ପହଞ୍ଚିଥିଲା ବାୟୁସେନାର ୮ଜଣିଆ ଉଦ୍ଧାରକାରୀ ଦଳ । ଦଳର ୮ଜଣିଆ ଟିମ୍ ସେଠାରେ ପହଞ୍ଚିବା ପରେ ବିମାନରେ ଥିବା ସମସ୍ତ ୧୩ଜଣଙ୍କ ମଧ୍ୟରୁ କେହି ବଞ୍ଚିନଥିବା ସ୍ପଷ୍ଟ ହୋଇଥିଲା । ବର୍ତ୍ତମାନ ମୃତ ୧୩ଜଣଙ୍କ ଶବକୁ ଉଦ୍ଧାର କରାଯିବା ସହ ବିମାନର ବ୍ଲାକ୍ ବକ୍ସ ମଧ୍ୟ ଉଦ୍ଧାରକାରୀ ଦଳ ଖୋଜିପାଇଥିବା ନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର କରାଯାଇଥିବା ମୃତଦେହକୁ ବାୟୁସେନାର ହେଲିକପ୍ଟର ସାହାଯ୍ୟରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏହାସହ ବିମାନରେ ଉପସ୍ଥିତ ଥିବା ସମସ୍ତ ୧୩ଜଣ ସହିଦ୍ ହେବାପରେ ବାୟୁସେନା ପକ୍ଷରୁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଦିଆଯାଇଛି ।
ସମସ୍ତ ୧୩ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିବାପରେ ଆଜି ମୃତକମାନଙ୍କ ପରିଚୟ ସାମ୍ନାକୁ ଆସିଥିଲା । ମୃତକଙ୍କ ମଧ୍ୟରେ ଉଇଙ୍ଗ କମାଣ୍ଡର ଜି.ଏମ୍ ଚାଲର୍ସ, ସ୍କ୍ଵାର୍ଡନ ଲିଡର ଏଚ୍ ବିନୋଦ, ଫ୍ଲାଇଟ୍ ଲେପ୍ଟନାଣ୍ଟ ଆର୍ ଥପ୍ପା, ଫ୍ଲାଇଟ୍ ଲେପ୍ଟନାଣ୍ଟ ଏ ତନଓ୍ଵର, ଫ୍ଲାଇଟ୍ ଲେପ୍ଟନାଣ୍ଟ ଓଡ଼ିଶାର ସୁନୀତ ମହାନ୍ତି, ଫ୍ଲାଇଟ୍ ଲେପ୍ଟନାଣ୍ଟ ଏମ୍କେ ଗର୍ଗ, ଓ୍ଵାରେଣ୍ଟ ଅଫିସର କେକେ ମିଶ୍ର, ସର୍ଜେଣ୍ଟ ଅନୁପ କୁମାର, କର୍ପୋରାଲ ଶେରିନ୍, ଲିଡ୍ ଏୟାରକ୍ରଫ୍ଟ ମ୍ୟାନ୍ ଏସ୍କେ ସିଂହ, ଲିଡ୍ ଏୟାରକ୍ରଫ୍ଟ ମ୍ୟାନ୍ ପଙ୍କଜ ତଥା ଦୁଇ ଅଣ-ସାମରିକ କର୍ମଚାରୀ ପୁତାଲି ଓ ରଜେଶ କୁମାର ରହିଛନ୍ତି ।
ସୂଚନାନୁଯାୟୀ, ସୋମବାର ୧୩ଜଣଙ୍କୁ ନେଇ ବାୟୁସେନା ବିମାନ ଏଏନ୍-୩୨ ମେଞ୍ଚୁକା ଅଭିମୁଖେ ଉଡ଼ାଣ ଭରିଥିଲା । ତେବେ, ଆସାମର ଜୋର୍ହାଟରୁ ଉଡ଼ାଣଭରିବାର ମାତ୍ର ୩୩ମିନିଟ୍ ପରେ ରାଡାରରୁ ନିଖୋଜ ହୋଇଯାଇଥିଲା ବିମାନଟି । ଦିନ ୧୨ଟା ୨୭ ମିନିଟ୍ରେ ବିମାନଟି ଉଡ଼ାଣ ଭରିଥିବା ବେଳେ ଦିନ ୧ଟାରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ।