ନୂଆଦିଲ୍ଲୀ ୧୩/୬(ଏଜେନ୍ସି) : ଗୁରୁବାର ଦିନ ଗୁଜରାଟ ଉପକୂଳରେ ସାମୁଦ୍ରିକ ଝଡ଼ ‘ବାୟୁ’ ଲ୍ୟାଣ୍ଡଫଲ୍ କରିବ ବୋଲି ସୂଚନା ଦିଆଯାଇଥିଲା। କିନ୍ତୁ ରାତିରେ ‘ବାୟୁ’ର ଗତିପଥ ବଦଳିଥିବା ସୂଚନା ମିଳିଛି। ସମୁଦ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଆଡ଼କୁ ମୁହାଁଇଛି ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ପବନ ଓ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଆକଳନ କରିଛି। ବର୍ତ୍ତମାନ ଗୁଜରାଟର ଦକ୍ଷିଣପଶ୍ଚିମ ସ୍ଥିତ ଭେରଭାଲରୁ ୧୩୦ କିଲୋମିଟର ଦୂରରେ ଏବଂ ପୋରବନ୍ଦରରୁ ୧୮୦ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ସୌରାଷ୍ଟ୍ର ଉପକୂଳ ଦେଇ ସାମୁଦ୍ରିକ ଝଡ଼ ଚାଲିଯିବାର ସୂଚନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୫ କିଲୋମିଟର ରହିପାରେ।