ହିଞ୍ଜିଳିକାଟୁ, ୧୨ା୬(ଶେଷଦେବ ସାହୁ): ଗତବର୍ଷ ଅକ୍ଟୋବର ୨ ତାରିଖ ଅର୍ଥାତ ଗାନ୍ଧି ଜୟନ୍ତୀଠାରୁ ରାଜ୍ୟର ବହୁ ପୌରାଞ୍ଚଳରେ ପଲିଥିନ ବିକ୍ରିକୁ ନିଷିଦ୍ଧ କରାଯାଇଛି । ପାଣି ପାଉଚ୍ ଓ ପଲିଥିନ୍ ର ବହୁଳ ବ୍ୟବହାର ଯୋଗୁଁ ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌରପରିଷଦକୁ ଘାରିଛି ସୁରକ୍ଷା ଚିନ୍ତା । ପାଣି ପାଉଚ୍ ଓ ପଲିଥିନ ବ୍ୟବହାରର କୁପରିଣାମ ନେଇ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳବାସୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ପଥପ୍ରାନ୍ତ ସଭାଠାରୁ ଆରମ୍ଭ କରି ନାଟକ ଓ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିପାରୁନାହିଁ । ତେବେ, ପୌର ପରିଷଦର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ସହରର ବିଭିନ୍ନ ଦୋକାନ ଗୁଡ଼ିକରେ ଚଢାଉ କରାଯାଇ ବିପୁଳ ପରିମାଣରେ ପଲିଥିନ ଓ ପାଣି ପାଉଚ ଜବତ କରାଯିବା ସହ ଜରିମାନା ଆଦାୟ କରାଯାଇଥିଲା ।
କିଛିଦିନର ବ୍ୟବଧାନ ପରେ ପୁଣି ସହରର ଛୋଟବଡ଼ ବ୍ୟବସାୟୀମାନେ ପଲିଥିନ ଓ ପାଣି ପାଉଚର ଅବାଧ ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା । ବିଗତ ଦିନରେ ଚଢାଉ ସମୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସାମିଲ ହୋଇଥିଲେ । ଯାହାଫଳରେ ପରବର୍ତ୍ତୀ ସମୟରେ ବ୍ୟବସାୟୀମାନଙ୍କ ପଲିଥିନ ଓ ପାଣି ପାଉଚ ବିକ୍ରି ନେଇ ସକ୍ରିୟତା ଦେଖିବାକୁ ମିଳିନଥିଲା । କିଛିଦିନର ନିରବତା ପରେ ବ୍ୟବସାୟୀମାନେ ପୁୂଣି ଥରେ ପଲିଥିନ୍ ଓ ପାଣି ପାଉଚ ବିକ୍ରି କରିବା ଆରମ୍ଭ କରିଦେଇଥିଲେ । ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଓ ବୁଧବାର ୨ଦିନ ପୁଣି ଥରେ ପୌର ପରିଷଦର ଏନଫୋର୍ସମେଣ୍ଟ ଟିମ ସହାୟତାରେ ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଉପରେ ଚଢାଉ କରି ସେମାନଙ୍କଠାରୁ ବିପୁଳ ପରିମାଣରେ ପଲିଥିନ୍ ଓ ପାଣି ପାଉଚ ଜବତ କରାଯିବା ସହ ଜରିମାନା ବାବଦରେ ୧୪ ହଜାର ୭ଶହ ଟଙ୍କା ଆଦାୟ କରାଯାଇଛି ।
ସେହିପରି ବୁଧବାର ସକାଳେ ବ୍ରହ୍ମପୁରଠାରୁ ଏକ ପିକ୍ଅପ୍ ଭ୍ୟାନ (ଓଡ଼ି୦୭ଏ ୩୮୮୨) ଜୈନିକ ବ୍ୟକ୍ତିଙ୍କ ଭୋଜି କାର୍ଯ୍ୟକୁ ୫୦ ବସ୍ତା ପାଣି ପାଉଚ ବୋଝେଇ କରି ଆସୁଥିବାବେଳେ ପୌରପରିଷଦର ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରି ଉକ୍ତ ୫୦ ବସ୍ତା ପାଣି ପାଉଚ ଜବତ କରିବା ସହ ୩ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ଚଢାଉରେ ପୌର ପରିଷଦର କର୍ମଚାରୀ ଅଶ୍ୱିନୀ କୁମାର ନାୟକ, ବିବେକାନନ୍ଦ ମହାପାତ୍ର, ଅଭିରାମ ସାହୁ, ଭାସ୍କର ସାହୁ, ଲାଲମୋହନ ସେଠୀ, ଧନୁ ସ୍ୱାଇଁ, ଅଭିରାମ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ପଲିଥିନ ଓ ପାଣି ପାଉଚ ବ୍ୟବହାରରେ କୌଣସି ସୁଧାର ନଆସିଲେ ପରବର୍ତ୍ତୀ ସମୟରେ ସଂପୃକ୍ତ ବ୍ୟବସାୟୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଣ୍ଡା କହିଛନ୍ତି ।