ହିଞ୍ଜିଳିକାଟୁ, ୧୨/୬ (ଶେଷଦେବ ସାହୁ): ଚାଷ କାମ ଯାହାର, କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହାର । ଦିନେ ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଞ୍ଚଳର ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଆଗଭର ହେଉଥିଲେ । ବିଭିନ୍ନ କାରଣରୁ ଧୀରେ ଧୀରେ ଏବେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ ହେଉଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ ଚାଷ କରି ଅଧିକ ଉପାର୍ଜନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିବାବେଳେ ଏହା ଏବେ ପୋଥି ବାଇଗଣ ପାଲଟିଯିବା ଆଶଙ୍କା ପ୍ରକାଶ ପାଇଛି ।
ହିଞ୍ଜିଳିକାଟୁ ଅଞ୍ଚଳରେ ଚାଷୀ ମୁଖ୍ୟତଃ ଖରିଫ୍ ଓ ରବି ଋତୁରେ ଧାନଚାଷ କରିଥାନ୍ତି । ଏବେ ଚାଷ କାମ ବାଟବଣା ହୋଇଥିବାବେଳେ ଚାଷର ଉପାୟ ମଧ୍ୟ ବଦଳିବାରେ ଲାଗିଛି । ହଳରେ ଏବେ ଆଉ ପ୍ରାୟ କେହି ଚାଷ କରୁନଥିବାବେଳେ ପୂର୍ବଭଳି ରୁଆବୁଣା ବେଳେ ଚାଷୀ ମୁଖରୁ ହୁଳହୁଳି, ହଳିଆଗୀତ ଆଉ ଶୁଣିବାକୁ ମିଳୁନାହିଁ । ପୂର୍ବରୁ ଚାଷୀ ଚାଷ ପାଇଁ ଜମିରେ ହଳ, ଲଙ୍ଗଳ ବ୍ୟବହାର କରୁଥିଲେ । ଏବେ କିନ୍ତୁ ଚାଷ ପାଇଁ ଟ୍ରାକ୍ଟର, ପାୱାର ଟ୍ରିଲର ବ୍ୟବହାର ହେଉଛି । ମାସ ମାସ ଧରି ଚାଲୁଥିବା ଚାଷ କାମ ଏବେ କମ୍ ଦିନରେ ବି ଶେଷ ହେଉଛି । ପ୍ରତିଗାଁରେ ପୂର୍ବେ ଘରେ ଘରେ ଚାଷଜମି ପାଇଁ ବଳଦ ଓ ପୋଢ ପାଳନ କରାଯାଉଥିଲା । ଏପରିକି କିଛି ଧନୀକ ଶ୍ରେଣୀର ଚାଷୀ ଗାଇ ବଳଦଙ୍କ ପାଇଁ ହଳିଆ ମଧ୍ୟ ରଖୁଥିଲେ । ଘର ଆଗରେ ଗୁହାଳ ଦେଖିବାକୁ ମିଳୁଥିଲା । ହଳ ପାଇଁ ଚାଷୀ କୁସୁମ, ପାଶୀ, ବବୁଲ, ଗୁହାରିଆ ପ୍ରଭୃତି କାଠର ଲଙ୍ଗଳ, ଢାମଣ, ଇଷ ତଥା ଅନ୍ୟାନ୍ୟ ଉପକରଣ ରଖୁଥିଲେ । କିଛି ଚାଷୀ ମାମୁଁ-ଭଣଜା ବଳଦକୁ ଏକାଠି କରି ହଳ କାର୍ଯ୍ୟରେ ଲଗାଉଥିଲେ । ପ୍ରତିବର୍ଷ ଚାଷୀମାନେ ବଳଦ କିଣା-ବିକା କରିବା ସହ ଅନ୍ୟ ଗ୍ରାମକୁ ଯାଇ ବଳଦ କିଣି ଆଣୁଥିଲେ । ମହାଲକ୍ଷ୍ମୀ ସ୍ନାନ ଦିନ ଭୋର ସମୟରେ ତଳିଘଣା ପରେ ପୂଜାର୍ଚ୍ଚନା କରି ରୁଆ କାର୍ଯ୍ୟ ଆରମ୍ଭ କରୁଥିଲେ । ହଳ ଧରି ବିଭିନ୍ନ ଢଙ୍ଗରେ ମଧୁର କଣ୍ଠରେ ଗୀତ ଗାଇ ହଳ କରୁଥିବା ଦେଖାଯାଉଥିଲା । ମହିଳାମାନେ ହୁଳହୁଳି ସହ ମିଳିତ ଭାବେ ଗୀତ ଗାଉଥିଲେ । ଦୂରରୁ ଗୀତ ଶୁଭିଲେ ଚାଷ କାମ ଚାଲିଥିବାର ସଙ୍କେତ ମିଳିପାରୁଥିଲା । ଗୋଟିଏ ଜମିରେ ମହିଳା ଗୀତଗାଇବା ଆରମ୍ଭ କଲେ ଅନ୍ୟ ଜମିର ମହିଳା ତାହା ଅନୁସରଣ କରୁଥିଲେ ।
ବିଭିନ୍ନ କାରଣରୁ ଏବେ ହଳ ରଖିବା ବନ୍ଦ ହୋଇଯାଉଥିବାବେଳେ ଗ୍ରାମାଞ୍ଚଳରେ ପଶୁ ସମ୍ପଦ ବିଶେଷ ଭାବେ ହ୍ରାସ ପାଇଛି । ଚାଷ ଜମିରେ ଘର ନିର୍ମାଣ ସହ ବର୍ଷ ବର୍ଷ ଧରି ଜମି ପଡ଼ିଆ ରଖାଯାଉଛି । ଉର୍ବର ଜମି ମଧ୍ୟ ଏଥିରୁ ବାଦ୍ ପଡ଼ୁନି । ପୂର୍ବରୁ ଶ୍ରମିକଙ୍କୁ ବର୍ଷିକିଆ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯାଇ ଧାନ, ମାଣ୍ଡିଆ, ସୁଆଁ ପ୍ରଭୃତି ମୂଲ ଭାବେ ଦିଆଯାଉଥିଲା । ଶସ୍ୟ ମାପିବା ପାଇଁ ନଉତି, ଅଣା ଆଦି ବ୍ୟବହାର କରାଯାଉଥିବା ବେଳେ ଏବେ ସବୁ ଟଙ୍କାରେ ହେଉଛି । ଟ୍ରାକ୍ଟରରେ ଚାଷ କାର୍ଯ୍ୟ କରାଯାଉଛି । ଟ୍ରାକ୍ଟର ଭଡ଼ା ଘଣ୍ଟା ପ୍ରତି ୧୨୦୦ରୁ ୧୪୦୦ ଟଙ୍କାରେ ମିଳୁଛି । ବହୁ ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ଆଗ ଭଳି ମନ ବଳାଉନାହାନ୍ତି । ଚାଷ କାର୍ଯ୍ୟ ଅପେକ୍ଷା ସେମାନେ ଦାଦନ ଖଟିବା ପାଇଁ ସୁଦୂର ମୁମ୍ବାଇ, ସୁରଥ, ଅଙ୍ଗୋଲ, ହାଇଦ୍ରାବାଦ ଯିବା ପାଇଁ ମନ ବଳାଉଛନ୍ତି । ସମୟକ୍ରମେ ଚାଷ କାର୍ଯ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ଚାଷ ଜମି ଶୈଳୀ ପରିବର୍ତ୍ତନ ଯୋଗୁଁ ହଳ, ହୁଳହୁଳି, ହଳିଆ ଗୀତ ଏବେ ପ୍ରାୟ ଲୋପ ପାଇବାକୁ ବସିଲାଣି ।