ନୂଆଦିଲ୍ଲୀ,୧୨/o୯(ରବି ଦାସ ) : ଭାରତୀୟ କ୍ରିକେଟ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ସବୁବେଳେ ସୁସଂପର୍କ ରହିଆସିଛି। ଉଭୟ ଖେଳାଳି ପଡ଼ିଆ ଭିତରେ ହେଉ ଅଥବା ବାହାରେ ହେଉ ପରସ୍ପର ଜଣେ ଅନ୍ୟକୁ ସମ୍ମାନ କରିଥାନ୍ତି। ଏହାରି ଭିତରେ ବିରାଟ କୋହଲି ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏମ୍ଏସ୍ ଧୋନିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କୋହଲି ଟୁଇଟର୍ରେ ଏକ ଫଟୋ ସେୟାର କରି ମହେନ୍ଦ୍ର ସିଂହ ଧୋନିଙ୍କୁ ସମ୍ମାନ ଜଣାଇଛନ୍ତି । ବିରାଟ କୋହଲି ଟୁଇଟ୍ରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋହାଲିରେ ହୋଇଥିବା ମୁକାବିଲାର ଫଟୋ ସେୟାର କରିଛନ୍ତି। ଏହି ମୁକାବିଲା ୨୦୧୬ରେ ଟି-୨୦ ବିଶ୍ୱକପ୍ରେ ହୋଇଥିଲା। କୋହଲି ଫଟୋରେ ଲେଖିଛନ୍ତି, ମୁଁ ଏହି ମ୍ୟାଚ୍କୁ କେବେ ଭୁଲିପାରିବି ନାହିଁ। ସେହି ରାତି ମୋ ପାଇଁ ସ୍ୱତନ୍ତ୍ର ଥିଲା। ଧୋନି ଏମିତି ଦୌଡ଼ାଇଥିଲେ ଯେ, ମୋତେ ଲାଗିଥିଲା ଯେପରିକି ମୁଁ ଫିଟ୍ନେସ୍ ପରୀକ୍ଷା ଦେଉଛି।ଏହି ଫଟୋ ଦେଖି ବୁଝିହେଉଛି ଯେ, ମ୍ୟୋଚ୍ ଶେଷ ହେବା ପରେ ବିରାଟ କୋହଲି ଆଣ୍ଠୁମାଡ଼ି ଖୁସିରେ ବସିଛନ୍ତି। ମହେନ୍ଦ୍ର ସିଂହ ଧୋନି ତାଙ୍କ ପାଖକୁ ଯାଉଛନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚ୍ରେ ଭାରତକୁ ୧୬୧ ରନ୍ ଲକ୍ଷ୍ୟ ଦେଇଥିଲା। ଭାରତୀୟ ଟିମ୍ ଏହି ମୁକାବିଲାକୁ ୫ଟି ବଲ ଥାଇ ୬ ଓ୍ଵିକେଟରେ ବିଜୟୀ ହୋଇଥିଲା।