ରାସ୍ତା ମଝିରେ ଭାସୁଛି ନାଳପାଣି,ଅବସ୍ଥା ଭୋଗୁଛନ୍ତି ଗ୍ରାମବାସୀ ।

54
ADVERTISEMENT

କୁକୁଡ଼ାଖଣ୍ଡି,୦୧/୮(ଇ ରଞ୍ଜନ):-କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ତଥା ବ୍ରହ୍ମପୁର ଉପକଣ୍ଠ ଜଗଦଳପୁର ଗ୍ରାମ ପଞ୍ଚାୟତର ୭ନଂ ୱାର୍ଡ଼ ଅଧିନସ୍ଥ ଠାକୁରାଣୀ ମନ୍ଦିର ନିକଟସ୍ଥ ରାଧାକୃଷ୍ଣ କଲୋନୀ ବାସିନ୍ଦାଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ଡ୍ରେନେଜ୍ ବ୍ୟବସ୍ଥା ।ଏହି କଲୋନୀରେ ବସବାସ କରୁଥିବା ପରିବାର ଲୋକଙ୍କ ପାଇଁ ଡ୍ରେନେଜ୍ ସୁବିଧା ନଥିବାରୁ ରାସ୍ତାରେ ବହୁଛି ନାଳପାଣି ।ନାଳପାଣି ରାସ୍ତାରେ ଜମିବା ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଗ୍ରାମର ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ ହଟହଟା ହେଉଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ଉକ୍ତ ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀଙ୍କ ଡ୍ରେସ୍ ରେ କାଦ ଛିଟିକା ପଡି ନଷ୍ଟ ହେଇଯାଉଥିବା ନେଇ କିଛି ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଓ ଉକ୍ତ ଅଞ୍ଚଳରେ ରହୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ସେହିଭଳି ଗ୍ରାମର ଶିବ ମନ୍ଦିର ନିକଟରେ ଦୀର୍ଘ ଦିନ ଧରି ନାଳ ପାଣି ରାସ୍ତାରେ ଜମି ରହିଥିବାରୁ ମନ୍ଦିରକୁ ଆସୁଥିବା ପୂଜାରୀ ଓ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ସେହିଭଳି ସ୍ଥାନୀୟ ସରପଞ୍ଚଙ୍କ ୱାର୍ଡ କୁହାଯାଉଥିବା ନେତାଜୀ ନଗର ମୁଖ୍ୟ ରାସ୍ତାରେ ମଧ୍ୟ ବର୍ଷ ବର୍ଷ ଧରି ନାଳ ପାଣି ରାସ୍ତାରେ ଜମୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଏକ ଅସନ୍ତୋଷର ବାତାବରଣ ଖେଳିଯାଇଛି।ସରପଞ୍ଚଙ୍କ ୱାର୍ଡରେ ଗତବର୍ଷ ଏହି ନାଳ ପାଣିକୁ ନିଷ୍କାସନ ପାଇଁ ୨ଲକ୍ଷ ଟଙ୍କା ବ୍ୟୟ କରାଯାଇ ଉକ୍ତ ନାଳ ପାଣିକୁ ନିଷ୍କାସନ କରିବା ପାଇଁ କୁଆଡେ ଡ୍ରେନେଜ୍ ବ୍ୟବସ୍ଥା କରାଯାଇଥିଲା।କିନ୍ତୁ ଉକ୍ତ ଡ୍ରେନେଜ ହେବା ସମୟରେ ଯେଉଁ ଠିକାଦାର ଓ ଯନ୍ତ୍ରୀ ଦାଇତ୍ୱରେ ଥିଲେ ,ସେମାନେ କୁଆଡେ ଡ୍ରେନେଜ ନିର୍ମାଣ କରିବା ବାହାନାରେ ବାଲି ଓ ସିମେଣ୍ଟ ଗୋଳାଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।ଉକ୍ତ ମୁଖ୍ୟରାସ୍ତାରେ ନାଳପାଣି ଦୀର୍ଘ ଦିନଧରି ଜମି ରହୁଥିବା ବେଳେ ସେହି ରାସ୍ତା ଦେଇ ସ୍ଥାନୀୟ ପ୍ରଶାସନ ଅଧିକାରୀ ମାନେ ଚଳପ୍ରଚଳ କରୁଥିଲେ ମଧ୍ୟ କିଛି ଫରକ ପଡୁନଥିବା ଅତି ଦୁର୍ଭାଗ୍ୟ ବିଷୟ।କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଗ୍ରାମବାସୀଙ୍କୁ ଚକା ଚକା କଥା କହି ଭୁଆଁ ବୁଲାଇ ଭୋଟ ଭିକ୍ଷା କରି ନିର୍ବାଚନ ମୈଦାନ ପାର ହୋଇଥିବା ସରପଞ୍ଚ ଏହି ଜଗଦଳପୁର ଗ୍ରାମ ପଞ୍ଚାୟତକୁ ସ୍ମାର୍ଟ ପଞ୍ଚାୟତ ଭାବେ ଗଢି ତୋଳିବା ପାଇଁ ସ୍ୱପ୍ନ ଦେଖାଇଥିଲେ।କିନ୍ତୁ ସେହି ସ୍ୱପ୍ନ ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନରେ ହିଁ ରହିଯାଇଛି। ଉକ୍ତ ରାସ୍ତା ଦେଇ ଯାଉଥିବା ବୃଦ୍ଧ,ବୃଦ୍ଧାଙ୍କ ସମେତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, ମୂଲିଆ ମଜୁରିଆଙ୍କ ପାଇଁ ନିତିଦିନିଆ ସମସ୍ୟା ସୃଷ୍ଟି କରିଛି।ଏହି ସମସ୍ୟା ଖୁବଶୀଘ୍ର ସମାଧାନ କରିବା ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ସୁଦ୍ଧା ଏଥିପ୍ରତି ପ୍ରଶାସନର ଦୃଷ୍ଟି ନପଡିବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

Advertisement