ଖୋର୍ଦ୍ଧା,୦୩/୧୦(ଡ଼ି.ଏଚ/ବ୍ୟୁରୋ): ଶନିବାର ସନ୍ଧ୍ୟାରେ ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କର ଅକାଳ ମୃତ୍ୟୁ ହୋଇଯାଇଛି । ଖବର ପାଇ ନାଭାଲ ଫାଣ୍ଡି ପୁଲିସ ଘଟଣାର ତଦନ୍ତ ଚଲାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ନିମାଁଇମଲ ଗ୍ରାମର ଗାଡି ମେକାନିକ ମାଧବ ସ୍ୱାଇଁ ସନ୍ଧ୍ୟା ୭ଟାରେ ଗ୍ୟାରେଜରୁ କାମ ସାରି ସ୍କୁଟି ଯୋଗେ ଗ୍ରାମକୁ ଫେରୁଥିଲେ । ୧୬ ନମ୍ବର ଜାତୀୟ ରାଜପଥର ନାଭାଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ମାଧବ ରାସ୍ତାରେ ପିଟିହୋଇ ପଡିଯାଇ ଥିଲେ । ଟ୍ରକଟି ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ମାଧବଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇ ଥିବା ଡାକ୍ତର ସୂଚନା ଦେଇଛନ୍ତି ।