ଥମୁନି ବ୍ରାଉନ୍‌ସୁଗାର କାରବାର, ଚଢାଉ କରି ୨କେଜିରୁ ଅଧିକ ଧଳାଜହର ଜବତ

95
ADVERTISEMENT

ଜଳେଶ୍ଵର,୧୮/୮(ଡ଼ି.ଏଚ/ବ୍ୟୁରୋ): ଜଳେଶ୍ଵର ରାଜପୁର ବସ୍ତି ଉପରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ଏହି ଚଢାଉରେ ୨ କେଜିରୁ ଅଧିକ ବ୍ରାଉନସୁଗାର ଜବତ ସହ ଜଣେ ମହିଳା ଓ ଜଣେ ପୁରୁଷଙ୍କ ଅଟକ ରଖାଯାଇଛି । ଚଢାଉ ସମୟରେ ପୋଲିସ ବ୍ରାଉନସୁଗାର ବେପାରୀ ମୁହାଁମୁହିଁ ହୋଇଛନ୍ତି । ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ , ପୋଲିସ, ଅବକାରୀ ଏବଂ ଏସଟିଏଫର ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଗତ କିଛି ଦିନ ଧରି ଏସଟିଏଫ ଏବଂ ପୋଲିସ ଦ୍ବାରା ଛୋଟ ବେପାରୀ ମାନେ ଧରାପଡୁଥିବା ଦେଖିବାକୁ ମିଳୁଥିବା ବେଳେ , ଏବେ ବଡ଼ ଶିକାର ଖୋଜିବାରେ ବ୍ୟସ୍ତ ରହିଛି ପୋଲିସ । ବିଳମ୍ବିତ ରାତି ଆଠଟା ସମୟରେ ରାଜପୁର ବସ୍ତି ଉପରେ ଅବକାରୀ ଓ ଜଳେଶ୍ୱର ପୋଲିସର ମିଳିତ ଚଢାଉ କରିଥିଲା । ଏହି ଚଢାଉରେ ୨କେଜିରୁ ଅଧିକ ବ୍ରାଉନସୁଗାର ସହ ବିପୁଳ ପରିମାଣ ଟଙ୍କା ଜବତ କରିବା ସହିତ ଜଣେ ମହିଳା ଓ ଜଣେ ପୁରୁଷକୁ ଅଟକ କରିଛି ବିଭାଗ । ତେବେ ଗିରଫ ସମୟରେ ପୋଲିସ ସହିତ ବ୍ରାଉନ ସୁଗାର ମାଫିଆ ମୁହାଁମୁହିଁ ହୋଇଥିଲେ । ପୋଲିସ ଦୁଇଜଣ କୁ ଗିରଫ କରି ନେଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ମହିଳା ଜଣକ ଆମିନା ବିବି ହୋଇଥିବା ବେଳେ ପୁରୁଷ ଜଣକ ସେକ୍ ରଫିକ ବୋଲି ଜଣାପଡିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦୁଇ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।

Advertisement