ରା.ଉଦୟଗିରି,୦୬/୦୮(ମୋହନ ଗୌଡ଼): ଗଜପତି ଜିଲ୍ଲା ରା..ଉଦୟଗିରି ଥାନା ଅଞ୍ଚଳରୁ ଆନ୍ଧ୍ରକୁ ଗଞ୍ଜେଇ ଚୋରା ଚାଲାଣରେ ପୁଲିସ ଯାଞ୍ଚ କରୁଥିବା ବେଳେ ଦୁଇଜଣ ଚୋରା ଗଞ୍ଜେଇ ଚାଲାଣକାରୀ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ବେଳେ ୨ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ୫୨.୬୦୦ କିଲୋ ଗଞ୍ଜେଇ ଜବତ କରିଛି । ଆର୍.ଉଦୟଗିରି ଥାନା ସୂତ୍ରରୁ ପ୍ରକାଶ ଯେ, ଗତକାଲି ଆର୍.ଉଦୟଗିରି ଥାନା ଏସଆଇ ହେମନ୍ତ କୁମାର ସେଠୀ, ଏଏସ୍ଆଇ ସୁରଥ ଭୂୟାଁ ଓ କର୍ମଚାରୀ ରାତ୍ରକାଳୀନ ପେଟ୍ରୋଲିଂ ସାରି ଫେରୁଥିବା ସମୟରେ ମହେନ୍ଦ୍ରଗଡ-ଛେଳିଗଡ ଜାତୀୟ ରାଜପଥ ୩୨୬ ମକାପଦା ଛକ ନିକଟରେ ବାଇକ ନଂ- ଓଆର୍୦୭ଏଫ୩୮୬ ଏବଂ ଅନ୍ୟ ଏକ ବାଇକ ନଂ-, ଓଡି ୨୦ଏ୯୪୮୮ ଦୃତ ଗତିରେ ଆସୁଥିବାର ଲକ୍ଷ୍ୟ କରି ଏହାକୁ ପିଛା କରିବାକୁ ଗଲାବେଳେ ଏକ ଅଟୋ ନଂ ଏପି୩୦ୱାଇ ୫୩୦୪କୁ ମଧ୍ୟ ସନ୍ଦେହ କରିଥିଲେ । ପୁଲିସ ପିଛା କରୁଥିବାର ଦେଖି ଉଭୟ ମୋଟର ସାଇକେଲ ଚାଳକମାନେ ନିଜ ନିଜ ବାଇକ ଛାଡି ଚମ୍ପଟ ମାରି ଚାଲିଯାଇଥିଲେ । ଏହାପରେ ଅଟୋରିକ୍ସାକୁ ଅଟକାଇ ଯାଞ୍ଚ କରିବାବେଳେ ଏଥିରେ ୫୨.୬୦୦ କିଲେ। ଗଞ୍ଜେଇ ଥିବାର ଦେଖାଯାଇଥିଲା । ଅଟୋ ଚାଳକଙ୍କୁ ପଚରା ଉଚରା କରିବା ବେଳେ ଉକ୍ତ ଗଞ୍ଜେଇକୁ ଆନ୍ଧ୍ର ଜିଲ୍ଲାକୁ ଚାଲାଣ କରାଯାଉଥିବା ଜଣପଡିଥିଲା । ଏଥିରେ ଜଣେ ନାବାଳକ ଏବଂ ଅନ୍ୟ ଜଣକ ହେଲେ ପରିସଲ ଗ୍ରାମର ଆମେଦ ଯେନା । ରା.ଉଦୟଗିରି ତହସିଲଦାର ନାରାୟଣ ବେହେରାଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତା ଗୁଡିକୁ ଓଜନ କରାଯାଇଥିବା ଥାନା ଅଧିକାରୀ ରବିନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏ ନେଇ ରା.ଊଦୟଗିରି ଥାନାରେ ୯୫/୨୧ରେ ଏକ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଥିବାର ଥାନା ସୂତ୍ରରୁ ଜଣାପଡିଛି ।