ଭୁବନେଶ୍ୱର,୧୪/୦୪(ଡ଼ି.ଏଚ/ବ୍ୟୁରୋ) : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଓଡ଼ିଆ ନବବର୍ଷ। ଏଥିସହିତ ହନୁମାନ ଜୟନ୍ତୀ। ଏହି ପବିତ୍ର ପଣାସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶ୍ରୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ଭରି ଯାଉ ବୋଲି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡ଼ିଆ ନବବର୍ଷ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଉପଲକ୍ଷେ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ସମୃଦ୍ଧିର କାମନା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳକାମନା କରୁଛି ବୋଲି ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ପଣା ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ସହ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସୂଚନା ଥାଉ କି, ଏଥର କରୋନା କଟକଣା ପାଇଁ ରାଜ୍ୟରେମହାବିଷୁବ ସଂକ୍ରାନ୍ତି ଫିକା ପଡିଛି । ମନ୍ଦିର ଖାଁ ଖାଁ ଲାଗୁଚି । ଭକ୍ତଙ୍କ ଭିଡ ନାହିଁ। ଏପରିକି କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଚନ୍ଦନପୁରସ୍ଥିତ ଶିରୁଳି ମହାବୀର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି ।