ନୂଆଦିଲ୍ଲୀ,୧୨/୦୪(ଡ଼ି.ଏଚ/ବ୍ୟୁରୋ) : ଗଗନଯାନରେ ଯିବା ପାଇଁ ରୁଷ୍ରୁ ସଫଳତାର ସହ ତାଲିମ ନେଇ ନିକଟ ଅତୀତରେ ବେଙ୍ଗାଲୁରୁରେ ପହଞ୍ଚିଥିବା ଚାରିଜଣ ମନୋନୀତ ମହାକାଶଚାରୀ ସମ୍ପ୍ରତି ଏକାଧିକ ଭାରତୀୟ ସହରରେ ଅଭିଯାନଭିତ୍ତିକ ତାଲିମ ନେବେ। ଏବେ ‘ଇସ୍ରୋ’ର କର୍ମଚାରୀ ଥିବା ଭାରତୀୟ ବାୟୁସେନାର ଏହି ୪ଜଣ ଟେଷ୍ଟ୍ ପାଇଲଟ୍ ମହାକାଶଚାରୀଙ୍କ ନିମନ୍ତେ ଥିବା ମୌଳିକ ତାଲିମ ସହ ପରିଚିତ ହେବା ନିମନ୍ତେ ରୁଷ୍ ଯାଇଥିଲେ। ‘ଇସ୍ରୋ’ ଅଧ୍ୟକ୍ଷ କେ ଶିବନ କହିଛନ୍ତି, ରୁଷ୍ରୁ ତାଲିମ ହୋଇ ଫେରିଥିବା ମହାକାଶଚାରୀମାନେ ଏବେ ବେଙ୍ଗାଲୁରୁରେ ଅଛନ୍ତି। ଏବେ ଦେଶର ବିଭିନ୍ନ ଅଞ୍ଚଳରେ ସେମାନେ ଏହି ଅଭିଯାନଭିତ୍ତିକ ତାଲିମ ନେବେ। ଉଦାହରଣସ୍ୱରୂପ, ଗଗନଯାନ ‘ମୋଡ୍ୟୁଲ୍-ସ୍ପେସିଫିକ୍’ ତାଲିମ୍ରେ ସେମାନେ ବିଭିନ୍ନ ପରିସ୍ଥିତି ଏବଂ ପ୍ରତିକ୍ରିୟା ସଂକ୍ରାନ୍ତରେ ଅବଗତ ହେବେ। ଏସବୁ ତାଲିମ ବେଙ୍ଗାଲୁରୁରେ ଦିଆଯିବ। ଚେନ୍ନାଇସ୍ଥିତ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି’ରେ ସେମାନଙ୍କୁ ପାଣିରେ ଭାସି ରହିବା ଏବଂ ବଞ୍ଚିରହିବା ନିମନ୍ତେ ତାଲିମ ଦିଆଯିବ। ଏଥିପାଇଁ ବାୟୁସେନା, ସେନା ଏବଂ ନୌସେନାର ସହଯୋଗ ଲୋଡ଼ିଛୁ । ଏହାଛଡ଼ା, ବେଙ୍ଗାଲୁରୁରେ ଥିବା ‘ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ମେଡିସିନ୍’ ଏବଂ ‘ଇସ୍ରୋ ସାଟେଲାଇଟ୍ ଇଣ୍ଟେଗ୍ରେସନ୍ ଆଣ୍ଡ୍ ଟେଷ୍ଟିଙ୍ଗ୍ ଇଷ୍ଟାବ୍ଲିସ୍ମେଣ୍ଟ୍’ରେ ମଧ୍ୟ ସେମାନେ ତାଲିମ ନେବେ।