ନୂଆଦିଲ୍ଲୀ,୧୧/୦୪(ଡ଼ି.ଏଚ/ବ୍ୟୁରୋ) : ଆଉ କୌଣସି ଅଘଟଣ ନ ଘଟାଇ ସୀମାନ୍ତ ଅଞ୍ଚଳରେ ମିଳିତ ଭାବେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ଓ ଚୀନ୍ ୧୧ଶ ପର୍ଯ୍ୟାୟ ସାମରିକସ୍ତରୀୟ ଆଲୋଚନାରେ ସମ୍ମତ ହୋଇଥିବା କଥା ଶନିବାର ଦିନ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।
ସରକାରୀ ବିବୃତି ଅନୁସାରେ, ଏପ୍ରିଲ୍ ୯ ତାରିଖ ଦିନ ଚୁଶୂଲ-ମୋଲ୍ଦୋ ସୀମାନ୍ତରେ ଭାରତ-ଚୀନ୍ ମଧ୍ୟରେ ୧୧ଶ କର୍ପସ୍ କମାଣ୍ଡର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୈନ୍ୟ ଅପସାରଣ ସମ୍ବନ୍ଧୀୟ ବାକି ରହିଥିବା ପ୍ରସ୍ତାବନା ଉପରେ ବିଶେଷ ମତ ବିନିମୟ ହୋଇଥିଲା।