ଭୁବନେଶ୍ୱର,୧୦/୦୪(ଡ଼ି.ଏଚ/ବ୍ୟୁରୋ): ଛତିଶଗଡ ବିଜାପୁରରେ କାହିଁକି ଫେଲ ମାରିଲା ପୁଲିସ ଓ ସୁରକ୍ଷା କର୍ମୀଙ୍କ ଅପରେସନ୍ । ମାଓବାଦୀଙ୍କ ଅମ୍ବୁସରେ କେମିତି ଫଶିଗଲେ ଯବାନ । ସବୁଠାରୁ ବଡ଼କଥା ହେଉଛି ମାଓବାଦୀଙ୍କ ଅମ୍ବୁସକୁ ଭାଙ୍ଗିବା ସତ୍ୱେ କେମିତି ଯବାନଙ୍କୁ ଘେରି ନରସଂହାର କରିବାକୁ ସମର୍ଥ ହେଲା ଲାଲ ବାହିନୀ । ଗତ ଏପ୍ରିଲ ୩ ତାରିଖରେ ଛତିଶଗଡ଼ ବିଜାପୁରର ଜୋନାଗୁଡାରେ ହୋଇଥିବା ପୁଲିସ-ମାଓବାଦୀ ଗୁଳି ବିନିମୟରେ କେଉଁଠି ରହିଲା ତ୍ରୁଟି । ଏବେ ଏହାର ସତ ସାମ୍ନାକୁ ଆସିଛି । ଗତ ୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜାପୁରରେ ପହଞ୍ଚିଥିବାବେଳେ ଅପରେସନରେ ସାମିଲ ସୁରକ୍ଷା କର୍ମୀଙ୍କ ସହ ଆଲୋଚନା କରିିଥିଲେ । ଏହି ସମୟରେ ଯବାନମାନେ ତାଙ୍କୁ ପୂରା ଘଟଣା ଜଣାଇଥିଲେ। ହେଲିକପ୍ଟର ପହଞ୍ଚିବାରେ ବିଳମ୍ବ ହେବାରୁ ଓ ବରିଷ୍ଠ ଅଧିକାରୀ ନିଷ୍ପତି ନେବାରେ ବିଳମ୍ବ କରିବାରୁ ଅପରେସନ ଫେଲ ମାରିଥିବା ଯବାନମାନେ ଗୃହମନ୍ତ୍ରୀ ଶାହାଙ୍କୁ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଛତିଶଗଡର ବିଜାପୁର ଠାରେ ସିଆରପିଏଫ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣ ସୁରକ୍ଷାକର୍ମୀ ସହିଦ୍ ହୋଇଥିଲେ । ଏହାସହ ରାକେଶ୍ୱର ସିଂ ମାନହସ୍ ନାମକ ଜଣେ ଯବାନଙ୍କୁ ନକ୍ସଲମାନେ ଅପହରଣ କରିନେଇଥିଲେ । ନକ୍ସଲ କବଳରେ ରାକେଶ୍ୱର ୫ ଦିନ ରହିବା ପରେ ସାମ୍ବାଦିକ ଓ ଅନ୍ୟ ଦୁଇଜଣ ମଧ୍ୟସ୍ଥିଙ୍କ ସହାୟତାରେ ନକ୍ସଲ ମାନେ ରାକେଶ୍ୱରଙ୍କୁ ମୁକ୍ତ କରିଥିଲେ ।