ବାଲେଶ୍ୱର,୦୭/୦୪(ଡ଼ି.ଏଚ/ବ୍ୟୁରୋ): ଥାନା ଭିତରେ ପୋଲିସ୍ ସାମ୍ନାରେ ଅଭିଯୋଗକାରୀଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଭିତରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଆହତ ଦ୍ୱୟ ହେଲେ- ରେମୁଣା ମାଧିପୁର ଗାଁର ରଘୁନାଥ ସାହୁ ଓ ତାଙ୍କ ପତ୍ନୀ ପ୍ରମିତା ଦାସ।ଥାନା ଭିତରେ ପୋଲିସ ଉପସ୍ଥିତିରେ ପ୍ରାୟ ୧୫୦ ଜଣ ଲୋକ ଅଭିଯୋଗକାରୀଙ୍କୁ ଏକ ଗୋଷ୍ଠୀ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଥାନାକୁ ଅଭିଯୋଗ ନେଇ ଆସିଥିବା ବେଳେ ଅଭିଯୋଗକାରୀ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ପୋଲିସ୍ ସୂଚନା ଅନୁଯାୟୀ, ରେମୁଣା ମନ୍ଦାରପୁର ଓ ନିଆଁବାଗ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଗତକାଲି ରାତି ୧୧ଟା ସମୟରେ ଗୋଟିଏ ଗୋଷ୍ଠୀର କିଛି ଲୋକ ଥାନାରେ ପହଞ୍ଚି ଥିଲେ। ସେହି ସମୟରେ ଅନ୍ୟ ଏକ ଗୋଷ୍ଠୀର କିଛି ଲୋକ ତାଙ୍କ ପଛେପଛେ ଥାନାରେ ପହଞ୍ଚି ଥିଲେ। ଉଭୟଙ୍କ ମଧ୍ୟରେ ସେଠାରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଗୋଟିଏ ଗୋଷ୍ଠୀକୁ ଅନ୍ୟ ଏକ ଗୋଷ୍ଠୀର ଲୋକ ଆକ୍ରମଣ କରିବା ଦେଖି ପୋଲିସ୍ ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲା। ହେଲେ ଆକ୍ରମଣକାରୀମାନେ ଥାନା ଭିତରେ ଭଙ୍ଗାରୁଜା କରିବା ସହ କଟୁରିରେ ଅନ୍ୟ ଏକ ଗୋଷ୍ଠୀର ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ରଘୁନାଥ ଓ ତାଙ୍କ ପତ୍ନୀ ପ୍ରମିତା ଆହତ ହୋଇଥିଲେ। ପୋଲିସ୍ ପ୍ରଥମେ ସେମାନଙ୍କୁ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏପରିକି ଥାନା କର୍ମଚାରୀଙ୍କ ପୋଷାକରେ ବି ଲାଗିଛି ରକ୍ତର ଦାଗ। ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିବା ସହ ଥାନାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଥାନାର ମୁଖ୍ୟ କବାଟକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଉପସ୍ଥିତ ଥିବା ପୋଲିସ୍ ଘଟଣାକୁ ରୋକିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନଥିଲେ ବୋଲି ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି।