କୃଷି ଆଇନ ପ୍ରତ୍ୟାହାର ଦାବିରେ ଗଜପତିରେ ବନ୍ଦ ପାଳିତ

233
ADVERTISEMENT

ପାରଳାଖେମୁଣ୍ଡି ,୨୭/୩ (ପ୍ରଭାତ କୁମାର ପାତ୍ର) : କେନ୍ଦ୍ର ସରକାରଙ୍କ କଳାକୃଷି ଆଇନ ପ୍ରତ୍ୟାହାର ସହ ଚାଷୀଙ୍କୁ ସବୁ ଫସଲର ଏମ୍‌ଏସ୍‌ପି ପ୍ରଦାନ ପାଇଁ ଆଇନ ପ୍ରଣୟନ, ପ୍ରସ୍ତାବିତ ବିଦ୍ୟୁତ ବିଲ୍‌ର ପ୍ରତ୍ୟାହାର ଏବଂ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧିର ପ୍ରତ୍ୟାହାର ଆଦି ଦାବିରେ ଗଜପତି ଜିଲ୍ଲାରେ ଆଜି ବନ୍ଦ ପାଳନ କରାଯାଇଛି । ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା, ମୋହନା, ଆର୍‌.ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, ଗୁମ୍ମା, କାଶୀନଗର ଆଦି ସମସ୍ତ ବ୍ଲକ ସହ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ କାଶୀନଗର ଏନ୍‌ଏସିରେ ବନ୍ଦ ପାଳନ ଲକ୍ଷ୍ୟ କରାଯାଇଥିଲା । ସମଗ୍ର ଜିଲ୍ଲାରେ ମୁଖ୍ୟତଃ ସମସ୍ତ ବସ୍ ଓ ବିଭିନ୍ନ ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ, ଦୋକାନ ବଜାର, ସରକାରୀ ଓ ବେସରକାର କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ, ସିନେମା ହଲ ଆଦି ବନ୍ଦ ରହିଥିଲା । ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଏହି ବନ୍ଦ ପାଳନକୁ କଂଗ୍ରେସ ଦଳ ସମର୍ଥନ କରିଥିବାର ଦେଖାଦେଇଥିଲା । କଂଗ୍ରେସ ଦଳ ସମେତ ସଂଯୁକ୍ତ କିଷାନ ମୋର୍ଚ୍ଚା, ଜିଲ୍ଲା କୃଷକ ସଂଘ ଓ ମୋଟର ୱାର୍କର୍ସ ୟୁନିୟନ ଓଡିଶା କୃଷକ ମଞ୍ଚ ଆଦି ଦ୍ୱାରା ପାରଳାଖେମୁଣ୍ଡି ସହରରେ ବନ୍ଦପାଳନ କରାଯାଇଥିଲା । କଂଗ୍ରେସ ଦଳର ବସନ୍ତ କୁମାର ପଣ୍ଡା, ସଂଗ୍ରାମ ସାହୁ, ସଂଯୁକ୍ତ କିଷାନ ମୋର୍ଚ୍ଚାର କେଦାର ଶବର, କାଡୁକା ଶବର, ଓଡିଶା କୃଷକ ମଞ୍ଚର ଦଣ୍ଡପାଣି ରଇତ, ଏମ୍‌.ବାଙ୍ଗାରୀ, ଶ୍ରୀନୁ ବେହେରା, ମୋଟର କର୍ମଚାରୀ ସଂଘର ନରସିଂହ ମାଳବିଶୋୟୀ, ରାଉତ ଚନ୍ଦ୍ରଶେଖର ଦେଓ ପ୍ରମୁଖଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ନୂଆବସ୍‌ଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲ୍ଲାପାଳ ଓ ପାରଳା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଉପରୋକ୍ତ ଦାବି ଗୁଡିକ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପୁରଣ କରନ୍ତୁ । ନଚେତ ଆଗାମୀ ଦିନରେ ଆହୁରି ଜନଆନ୍ଦୋଳନ ହେବା ନିଶ୍ଚିତ ବୋଲି ଏମାନେ ସରକାରଙ୍କୁ ସତର୍କ କରିଛନ୍ତି ।

Advertisement