ଭୁବନେଶ୍ବର,୦୧/୦୩(ଡ଼ି.ଏଚ/ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜଙ୍କ ଶିବରାତ୍ରୀ ଆୟୋଜନ ନେଇ ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ଅନୁମତି ଦେଇଛି। କୋଭିଡ୍-୧୯ ଗାଇଡଲାଇନ୍ ପାଳନ ସହିତ ଚଳିତ ବର୍ଷ ଏକାମ୍ର କ୍ଷେତ୍ରରେ ଜାଗର ଅନୁଷ୍ଠିତ ହେବ । ଏନେଇ ଆଜି ବୈଠକରେ ଆଲୋଚନା ପରେ ସୂଚନା ଦେଇଛନ୍ତି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ।
ସେ କହିଛନ୍ତି, ଚଳିତ ବର୍ଷ ସମସ୍ତ କୋଭିଡ୍ ଗାଇଡଲାଇନକୁ ପାଳନ କରି ଶିବରାତ୍ରୀ ପାଳନ ହେବ । ଭକ୍ତମାନେ ଗର୍ଭଗୃହରେ ଠାକୁରଙ୍କୁ ଦର୍ଶନ କରିପାରିବେ ନାହିଁ । ଏଥି ସହିତ ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଶିବରାତ୍ରୀରେ ଅଂଶଗ୍ରହଣ କରିବାକୁ ଅନୁମତି ମିଳିବ ନାହିଁ । ସାମାଜିକ ଦୂରତା ରଖିି ଶିବରାତ୍ରୀ ଆୟୋଜନ ହେବ । ଏଥିପାଇଁ ଭକ୍ତମାନଙ୍କର ସ୍କ୍ରିନିଂ ଓ ମନ୍ଦିର ସାନିଟାଇଜେସନ ହେବ । ଯେଉଁମାନଙ୍କର ସ୍କ୍ରିନିଂ ପ୍ରକ୍ରିୟାରେ କୌଣସି ସନ୍ଦେହ ଉପୁଜେ ତାଙ୍କର ତୁରନ୍ତ ଆଟିଂଜେନ ଟେଷ୍ଟ ହେବ । ଏହାବାଦ ମହାପ୍ରଭୁଙ୍କ ନୀତିକାନ୍ତି ପୂର୍ବ ଅନୁସାରେ ଯେପରି ହୁଏ ସେପରି ହେବ ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି । ଚଳିତ ବର୍ଷ କୋଭିଡ୍ କାରଣରୁ ଅନେକ ପର୍ବ ପର୍ବାଣୀ ଉପରେ ଅଙ୍କୁଶ ଲାଗିସାରିଛି । ଏବେ ପଡୋଶୀ ରାଜ୍ୟମାନଙ୍କରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ପୁଣି କୋଭିଡ୍ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରି ସ୍ଥିତିରେ ମହାପ୍ରଭୁଙ୍କ ଶିବରାତ୍ରୀ ଆୟୋଜନ ହେବ କି ହେବନି ତାକୁ ନେଇ ଆଶଙ୍କା ଦେଖା ଦେଇଥିଲା । ଶେଷରେ ବିଏମ୍ସି ଏହି ଯାତ୍ରାକୁ ଅନୁମତି ଦେବା ସହିତ ଲିଙ୍ଗରାଜଙ୍କ ଶିବରାତ୍ରୀ ହେବା ନେଇ ପ୍ରକାଶ ।