ତପ୍ତପାଣି ଘାଟିରେ ପେପର ବୋଝେଇ ୧୮ ଚକିଆ ଟ୍ରକ ଓଲଟି ଡ୍ରାଇଭର ଗୁରୁତର

144
ADVERTISEMENT

ମୋହନା,୨୧/୦୨/୨୧(ମୋହନ ଗୌଡ଼) : ତପ୍ତପାଣି ଘାଟିରେ ଗାଡି ଦୁର୍ଘଟଣା ଥମିବାର ନାଁ ଧରୁନି। ମାସରେ ଚାରିରୁ ପାଞ୍ଚଥର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଛି । ଏଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେବା ଦରକାର ବୋଲି ସାଧାରଣରେ ଦାବୀ ହେଉଛି । ରବିବାର ରାୟଗଡା ଜିଲ୍ଲା ନିକଟ ଜେକେ ପେପର ମିଲ୍‌ରୁ ପେପର ଲୋଡ଼ କରି ଏକ ୧୮ ଚକିଆ ଟ୍ରକ୍ ନଂ-ଓଡ଼ି୧୮ଏ୧୨୭୩ କଟକ ଅଭିମୁଖେ ଯାଉଥିବାବେଳେ ତପ୍ତପାଣି ଘାଟିର ବୁଲାଣିରେ ଭାରସାମ୍ୟ ରକ୍ଷାକରି ନପାରି ଓଲଟି ପଡ଼ିଥିଲା । ଗାଡ଼ି ଭିତରେ ଚାଳକ ଚାପିହୋଇ ରହିଯାଇଥିଲେ । ଏହି ସମୟରେ ଦେବଦୂତ ସାଜି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ. ଏମ୍. ଶିବରାମ ଓ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ. ସୁଶିଲ କୁମାର ନାୟକ ବ୍ରହ୍ମପୁର ଯାଉଥିବାବେଳେ ଦୁର୍ଘଟଣାସ୍ଥଳରେ ଗାଡ଼ି ଭିତରେ ଚାପିହୋଇ ରହି ଛଟପଟ ହେଉଥିବା ବିହାର ରାଜ୍ୟର ଟ୍ରକ୍ ଡ୍ରାଇଭର ମୁସ୍ତାପ ଖାନ୍‌(୫୫)କୁ ଦେଖି କାର ଅଟକାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲେ । ଏବଂ ୧୦୮ ଓ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୧୦୮ ପହଞ୍ଚି ମୁସ୍ତାପକୁ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିବାପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Advertisement