୨୦୨୧-୨୨ରେ ରେଳ ବଜେଟରେ ଓଡ଼ିଶା ଗୁରୁତ୍ଵ : ଏହି ବର୍ଷ ବ୍ୟୟବରାଦ୨୬% ବୃଦ୍ଧି

164
ADVERTISEMENT

ଭୁବନେଶ୍ୱର,୦୪/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରାଯିବ। ଏଥିଲାଗି ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଥିବା ବେଳେ ୨୦୨୧-୨୨ରେ ଏହାର ୫୬୦ ପ୍ରତିଶତ ଅଧିକ ଅନୁଦାନ ଦିଆଯାଇଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। ଯେଉଁଥିରେ ନୂଆ ରେଳପଥ, ଗେଜ୍ ପରିବର୍ତ୍ତନ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପ ରହିଛି। ନିର୍ମାଣାଧିନ ମୋଟ୍ ୪, ୮୭୭ କିଲୋମିଟର ରେଳ ଲାଇନ୍‌ ପାଇଁ ହୋଇଥିବା ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ଏହା ଏକ ଅଂଶ ବୋଲି କୁହାଯାଇଛି।

୨୮୯ କିଲୋମିଟର ଲମ୍ବର ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳପଥ ପାଇଁ ୫୦୦ କୋଟି ଟଙ୍କା, ୯୮.୭ କିଲୋମିଟର ଲମ୍ବର ଅନୁଗୁଳ-ସୁକିନ୍ଦା ରୋଡ୍ ପାଇଁ ୪୦୦ କୋଟି ଟଙ୍କା, ୮୨ କିଲୋମିଟର ହରିଦାସପୁର-ପାରାଦୀପ ପାଇଁ ୧୦୦ କୋଟି ଟଙ୍କା, ୧୫୪ କି.ମି. ତାଳଚେର-ବିମଳାଗଡ଼ ୧୦ କୋଟି ଟଙ୍କା, ୧୩୦ କିଲୋମିଟର ଜୟପୁର-ମାଲକାନାଗିରି ରୁଟ୍ ପାଇଁ ୨୮ କୋଟି ଟଙ୍କା, ୩୮ କିଲୋମିଟର ଲମ୍ବର ଜୟପୁର-ନବରଙ୍ଗପୁର ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ରେଳମନ୍ତ୍ରୀ। ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟିଲାଗଡ଼ ପାଇଁ ୨୫ କୋଟି ଟଙ୍କା ଦିଆଯାଇଥିବା ସୂଚନା ମିଳିଛି। ଆଜି ଏନେଇ ପୂର୍ବତଟ ରେଳପଥ ବିଧିବଦ୍ଧ ଭାବେ ସୂଚନା ଦେବାର ଅଛି। ରାଜ୍ୟରେ ରେଳ ପ୍ରକଳ୍ପ ଗୁଡ଼ିକ ପାଇଁ ଓଡ଼ିଶା ସରକାର ୭,୨୦୦ କୋଟି ଟଙ୍କା ଦାବି କରିଥିବାବେଳେ କେନ୍ଦ୍ର ସରକାର ୫ ହଜାର ୫୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

Advertisement