ମୋହନା,୧୮/୦୧/୨୧(ମୋହନ ଗୌଡ଼) : ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜବତ ହୋଇଛି । ଏହି ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇ ଏଥିରୁ ଦେଢ କୁଇଣ୍ଟାଲ୍ ଓଜନର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଜବତ କରାଯାଇଛି । ରକ୍ତଚନ୍ଦନ ଚୋରାଚାଲାଣକାରୀ ୨ ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ପାଇଁ ଉଦ୍ୟମ ଚାଲିଛି ବୋଲି ଏକ ତଥ୍ୟ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଠାରେ ପହଞ୍ଚିଥିଲା । ଏଥି ଅନୁଯାୟୀ ଡିଏଫଓ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ରେଞ୍ଜ ଅଧିକାରୀ କୋବୀନ ପରିଚ୍ଛା ଏବଂ ଦେବଗିରି ରେଞ୍ଜ ଅଧିକାରୀ ଅରୁଣ କୁମାର ବେହେରା ବନ କର୍ମଚାରୀଙ୍କ ସହ ସଜାଗ ରହି ପେଟ୍ରୋଲିଂ ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ପେଟ୍ରୋଲିଂ ଚାଲିଥିବା ବେଳେ ରାତ୍ର ୭ ଘଣ୍ଟା ସମୟରେ ବାଞ୍ଜେରୀ ଗ୍ରାମ ଛକରୁ ଏକ ଅଟୋ ଦୃତ ଗତିରେ ଯାଉଥିବା ଦେଖା ଯାଇଥିଲା । ସନ୍ଦେହରେ ଅଟୋକୁ ଅଟକାଇ ତଦନ୍ତ କରିବାରେ ଆନ୍ଧ୍ରକୁ ରକ୍ତଚନ୍ଦନ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଅଟୋରୁ ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଉଦ୍ଧାର କରାଯାଇଥିଲା । ଏହାର ଓଜନ ଦେଢ କୁଇଣ୍ଟାଲ ଥିବା ସୂଚନା ମିଳିଛି । ଚୋରାଚାଲାଣରେ ବ୍ୟବହୃତ ଅଟୋ ଡ୍ରାଇଭର ବିରାଜ ଆନ୍ଦପୁ(୩୦) ସହ ଭେଙ୍କେଟେଶ ମିଶାଲ(୨୮)ଙ୍କୁ ଅଟକ ରଖାଯାଇ ରକ୍ତଚନ୍ଦନ ଗଣ୍ଡି କେଉଁ ଠାରୁ ଅଣାଗଲା ଓ ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ସେ ନେଇ ତଦନ୍ତ ଜାରି ରଖାଯାଇଥିବା ପାରଳା ବନ ବିଭାଗର ଏସିଏଫଓ ଗୌରୀ ପ୍ରସାଦ ରଥ ଜଣାଇଛନ୍ତି ।