ବଲାଙ୍ଗୀର,୧୨/୧୨(ସୁନୀଲ ତ୍ରିପାଠୀ) : ଆଜି ଅପରାହ୍ନରେ ବଲାଙ୍ଗିରରେ ନିର୍ମାଣାଧିନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ଅତ୍ୟାଧୁନିକ ବସ ଟର୍ମିନାଲର କାମ କିପରି ଚାଲିଛି ତାହା ଜାଣିବା ପାଇଁ ଉଭୟ ନିର୍ମାଣ ସ୍ଥଳିକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନରେ ଯାଇଥିଲେ । ବର୍ତ୍ତମାନ ନିର୍ମାଣ ହେଉଥିବା ସ୍ଥଳରେ ୬୫୦ ବେଡ୍ ର ହସ୍ପିଟାଲ , ଶବ ଗୃହ, ବିଦ୍ୟୁତ ସବ୍ଷ୍ଟେସନ, ଷ୍ଟାଫ୍ କ୍ୱାଟର ତଥା ନର୍ସ ହଷ୍ଟେଲ ପ୍ରଭୃତି ନିର୍ମାଣ ହେବ । ସେ ସବୁର ନିର୍ମାଣ ସ୍ଥଳ ତଥା ସାଇଟ ମ୍ୟାପ ସହିତ ତାର ନିର୍ମାଣ ବାବଦରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ସାଇଟ ଇଂଜିନିୟର ଇନ୍ଚାର୍ଜ ଆଶିଷ କର ଏବଂ ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଥିଲେ । ଏହା ୨୦୨୨ ଜୁନସୁଦ୍ଧା କାମ ସଂପୂର୍ଣ୍ଣ ହୋଇ ଏଠାରେ ସମସ୍ତ ଡାକ୍ତରଖାନା, ଷ୍ଟାଫ୍ କ୍ୱାଟର, ନର୍ସ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଥିଲେ । ପରେ ଶ୍ରୀ ମିଶ୍ର ସହରର ୨୦ ନଂ. ୱାର୍ଡରେ ନିର୍ମାଣଧିନ ଅତ୍ୟାଧୁନିକ ବସ ଟର୍ମିନାଲ ସ୍ଥଳ ପରିଦର୍ଶନ କରିଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ ହାଉସିଂ ବୋର୍ଡର ଯନ୍ତ୍ରୀ ପ୍ରକଳ୍ପର ସବିଶେଷ ତଥ୍ୟ ଦେବା ସହ ଆସନ୍ତା ମାର୍ଚ୍ଚ ମାସରେ ଏହା ସମ୍ପୁର୍ଣ୍ଣ ହେବ ବୋଲି କହିଥିôଲେ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରକଳ୍ପ କାର୍ଯ୍ୟ ବହୁତ ଧିମା ଗତିରେ ଚାଲିଥିବାରୁ ଏହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଗତ ବିଧାନସଭା ଅଧିବେଶନରେ ନିଜର ଅସନ୍ତୋଷ୍ଟ ବ୍ୟକ୍ତ କରିବା ସହ କେବେ ସମ୍ପୁର୍ଣ୍ଣ ହେବ ପ୍ରଶ୍ନ ପଚାରିଥିଲେ । ସର୍ବମୋଟ ୩୬ଟି ବସ ରହିବା ପାଇଁ ବ୍ୟବସ୍ଥା ଥିବା ଏହି ବସ ଟର୍ମିନାଲରେ ୧୧କୋଟି ୩୮ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । ଉଭୟ ପ୍ରକଳ୍ପ ଯେମିତି ଠିକ୍ ସମୟରେ ସମ୍ପୁର୍ଣ୍ଣ ହେବ ଏବଂ କାମର ମାନକୁ ନେଇ କୌଣସି ପ୍ରକାର ସାଲିସ ଯେମିତି ନ ହେବ ସେ ଉପରେ ଧ୍ୟାନ ଦେବାକୁ ଦାୟିତ୍ୱରେ ଥିବା ନିର୍ମାଣ ସଂସ୍ଥା, ନିର୍ବାହୀଯନ୍ତ୍ରୀ ଏବଂ ପୋଲିସ ହାଉସିଂ ବୋର୍ଡର କନିଷ୍ଠ ଯନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ ।