ମୋହନା,୦୬/୧୨(ମୋହନ ଗୌଡ଼) : ସହର ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬ର ମୁଖ୍ୟରାସ୍ତା ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେବାରେ ଲାଗିଛି । ଏନେଇ ଦିନକୁ ଦିନ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ବଢିବାରେ ଲାଗିଛି । ସ୍ଥାନୀୟ ଥାନାଠାରୁ ପାଣ୍ଡା ଛକ ବ୍ରିଜ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ସଂପ୍ରସାରଣରେ ବହୁ ବିଳମ୍ବ ହେବାରେ ଲାଗିଛି। ଏହି ଅଧା କିମି ରାସ୍ତା ସଦାସର୍ବଦା ଜନଗହଳିପୂର୍ଣ୍ଣ ଅଂଚଳ । ପୂର୍ବ।ହ୍ନ ୮ଟାରୁ ଅପରାହ୍ନ ୮ଟା ପର୍ଯ୍ୟନ୍ତ ପ୍ରବଳ ଟ୍ରାଫିକ୍ ସମସ୍ୟା ଲାଗିରହୁଛି । ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଳକ୍ ମୋହନାରେ ରହିଛି ୩୯ଟି ପଞ୍ଚାୟତ । ମୋହନା ବଜାର ଏକ ବ୍ୟବସାୟୀକ ପେଣ୍ଠସ୍ଥଳି ହୋଇଥିବା ବେଳେ ଏଠାରେ ତହସିଲ କାର୍ଯ୍ୟାଳୟ,ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଥାନା, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ବ୍ଳକ୍ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ମହାବି ଦ୍ଯାଳୟ ସମେତ ବହୁ ବିଭାଗୀୟ ଅଧିକାରୀଙ୍କ କାନ୍ଦ୍ୟାଳୟ ରହିଛି। ରାତି ପାହିଲେ ବିଭିନ୍ନ କାମ ନେଇ ବ୍ଳକର ବିଭିନ୍ନ ପଞ୍ଚାୟତ, ସୀମାନ୍ତବର୍ତ୍ତୀ ବ୍ଳକ ଓ ଗ୍ରାମଗୁଡିକରୁ ଶହଶହ ଲୋକ ଏଠାକୁ ଆସିଥାନ୍ତି। ପ୍ରତେକ ଦିନ ଶହ ଶହ ଯାନବାହାନ ସହର ଦେଇ ଯାତାୟତ କରୁଥିବାବେଳେ ବଜାର ରାସ୍ତାଟି ସଂକୀର୍ଣ୍ଣ ହୋଇଥିବା ଯୋଗୁଁ ଯାନବାହାନ ଯାତାୟତରେ ସମସ୍ୟା ଦେଖାଯିବା ସହ ବସଷ୍ଟାଣ୍ଡ ନଥିବାରୁ ଯାତ୍ରାବାହୀ ବସ,ଅଟୋ ,ଟ୍ରକ , କାର, ମାଲ ପରିବହନ ଯାନ ଗୁଡିକ ଘଣ୍ଟା ଘଣ୍ଟାଧରି ରାସ୍ତା ଉପରେ ପାର୍କିଙ୍ଗ କରି ରଖିବା ଯୋଗୁ ଟ୍ରାଫିକ୍ ସମସ୍ୟା ଉତ୍କଟ ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟୁଛି । ଅପରପକ୍ଷେ ବେଆଇନ ଭାବେ ସରକାରୀ ଜମିକୁ ଅଧିଗ୍ରହଣ କରି କିଛି ଉଠା ଦୋକାନୀ ରାସ୍ତାକୁ ଲଗାଇ ବ୍ୟବସାୟ କରୁଥିବା ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇ ଟ୍ରାଫିକ୍ ସମସ୍ୟା ଦିନକୁ ଦିନ ସହର ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସମସ୍ୟାର ସମାଧାନ ତୁରନ୍ତ କରିବାକୁ ସାଧାରଣରେ ଦାବି ହେଉଛି ।