ଗଜପତି,୨୪/୧୧,(ପ୍ରଭାତ କୁମାର ପାତ୍ର) :ଅଡବା ଥାନା କାଜୁ ସହ ଗଞ୍ଜେଇ ବୋଝେଇ ଟ୍ରକ ଜବତ ଘଟଣା । ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶକୁ ଖୋଲା ଖୋଲି ଅବମାନନା। ଜବତ କାଜୁକୁ ସାଧାରଣରେ ନିଲାମ କରି କୋର୍ଟରେ ଜମା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର କୋର୍ଟ। ତେବେ ନିଲାମ ପ୍ରକ୍ରିୟାର ନିୟମର ଖୁଲମଖୁଲା ଉଲଙ୍ଘନ କରି ଚାଞ୍ଚକତାର ସହ ସମସ୍ତ ଜବତ କାଜୁକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ଗତ ୨୪.୮.୨୦୨୦ ତାରିଖରେ ଅଡବା ଥାନା ଅଧୀନରେ ଏକ ଗଞ୍ଜେଇ ସହ ଚୋପା ବିହିନ କାଜୁ ବୋଝେଇ ଗାଡ଼ିକୁ ଜବତ କରାଯାଇଥିଲା। ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ ପରେ ଜବତ କାଜୁକୁ ସର୍ବସାଧାରଣ ନିଲାମ କରିବାକୁ ମାନ୍ୟବର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଜବତ କାଜୁର ମୂଲ୍ୟ ୬୭ ଲକ୍ଷ ଟଙ୍କା ହୋଇଥିବା ବେଳେ ଅତି ଚାଞ୍ଚକତା କରି ମାତ୍ର ୧୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ମାନ୍ୟବର ଅଦାଲତ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଏସପି ସିତାରାମ ଶତପଥୀଙ୍କୁ ତଦନ୍ତ କରାବାକୁ ଦାୟିତ୍ଵ ଦିଆଯାଇଥିଲା। ତେବେ ପ୍ରାଥମିକ ତଦନ୍ତରୁ ଏଥିରେ ଅନିୟମିତତା ଦେଖା ଦେଇଥିବାରୁ ଏଥିରେ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀ ଏସ ଆଇ ଆଲୋକ ରଞ୍ଜନ ଜଗଦଲାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପୂର୍ବତନ ଥାନା ଅଧିକାରୀ ତପନ କୁମାର ପତିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ତେବେ ଅଦାଲତଙ୍କ ନିର୍ଦ୍ଦେଶ ପରେ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଅନ୍ୟ ମାନଙ୍କ ମଧ୍ୟରେ ମୋହନା ବିଡିଓ ବନ୍ସିଧର ଖୋସଲା , ପୁର୍ବତନ ଅଡବା ଥାନାଅଧିକାରୀ ତପନ କୁମାର ପତି , ମୋହନା ଯୋଗାଣ ନିରୀକ୍ଷକ ଶଙ୍କର ବେହେରାଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ ପରେ ଏହାର ତଦନ୍ତ ଭାର ରା ଉଦୟଗିରି ଏସଡିପିଓ ଦିଲିପ କୁମାର ନାୟକଙ୍କୁ ଦିଆଯାଇଛି, ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଏସପି ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।