ପାରଳାଖେମୁଣ୍ଡି,୨୯/୯(ପ୍ରଭାତ କୁମାର ପାତ୍ର) : ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ସେଥିମଧ୍ୟରୁ ଇକୋ-ରିଟ୍ରିଟ୍ ଅନ୍ୟତମ । ଚଳିତ ବର୍ଷ ରାଜ୍ୟର ୫ଟି ସ୍ଥାନରେ ଇକୋ କ୍ୟାମ୍ପ କରିବା ଲାଗି ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଥିବା ବେଳେ ଗଜପତି ଜିଲ୍ଲା ସେଥିରୁ ବାଦ ପଡ଼ିଛି। ଗଜପତି ଜିଲ୍ଲାର ମହେନ୍ଦ୍ରଗିରି, ଗଣ୍ଡାହାତୀ ଜଳ ପ୍ରପାତ, ଖସଡା ଜଳପ୍ରପାତ, ବୃନ୍ଦାବନ ପେଲେସ୍,ଜିରାଙ୍ଗ ବୌଦ୍ଧ ବିହାର ଓ ଗୁଦଗୁଦା ଜଳପ୍ରପାତ କୁ ପର୍ଯ୍ୟଟନ ବିଭାଗ ଅଣଦେଖା କରିଥିବା କୁହାଯାଉଛି।
ପାହାଡ଼ ପର୍ବତ ଘେରା ଜଳପ୍ରପାତ ତଥା ପ୍ରାକୃତିକ ପରିବେଶ ମଧ୍ୟରେ ପର୍ଯ୍ୟଟକ ମାନେ ରାତ୍ରୀ ଯାପନ କରି ମଜ୍ଜା ଉଠାଇବା ଲାଗି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତବର୍ଷ ଠାରୁ ଇକୋ ରିଟ୍ରିଟ୍ ଆରମ୍ଭ କରାଯାଇଛି। ଗତବର୍ଷ ପୁରୀ-କୋଣାର୍କ ବେଳାଭୂମିରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ୍ କରାଯାଇଥିଲା। ଏହାର ସଫଳତା ପରେ ଚଳିତ ବର୍ଷ କରୋନା କଟକଣା ସତ୍ୱେ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍ ତଥା ଇକୋ କ୍ୟାମ୍ପ୍ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ପୁରୀ-କୋଣାର୍କ ରାମଚଣ୍ତି ବେଳାଭୂମି, ନୟାଗଡ଼ର ସାତକୋଶିଆ, କେନ୍ଦ୍ରାପଡ଼ାର ଭିତରକନିକା, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ଓ ସମ୍ବଲପୁର ଜିଲ୍ଲାର ହୀରାକୁଦ୍ ଠାରେ ଆସନ୍ତା ଡିସେମ୍ବେର ୧ତାରିଖ ଠାରୁ ଫେବୃଆରି ୨୮ ତାରିଖ ପର୍ଯ୍ୟନ୍ତ ଇକୋ ରିଟ୍ରିଟ କରିବା ଲାଗି ସ୍ଥିର ହୋଇଛି। ଏଥିଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ଆନୁସଙ୍ଗିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେବେ ପ୍ରାକୃତିକ ପରିବେଶ ତଥା ପର୍ଯ୍ୟଟନସ୍ଥଳରେ ଭରପୁର ଗଜପତି ଜିଲ୍ଲାରେ ଇକୋ ରିଟ୍ରିଟ୍ କ୍ୟାମ୍ପ୍ କରିବା ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଚାରକୁ ନିଆ ଯାଇନାହିଁ। ଯାହାକି ଦୁଖଃ ଓ ପରିତାପର ବିଷୟ ।
ଏଠାରେ ଇକୋ କ୍ୟାମ୍ପ କରାଯାଇଥିଲେ ପର୍ଯ୍ୟଟକ ମାନେ ପାହାଡ଼ ଓ ଜଳପ୍ରପାତ ଗୁଡିକର ମଜ୍ଜା ନେଇପାରିଥାନ୍ତେ। ଏଥିସହ ଉପଯୁକ୍ତ ପ୍ରଚାର ପ୍ରସାର ହୋଇଥିଲେ ସୀମାନ୍ତ ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟକ ବି ଏଠାକୁ ଆସିଥାନ୍ତେ। ଉଭୟ ପାର୍ଶ୍ୱର ପର୍ଯ୍ୟଟନ ବିଭାଗ ଲାଭବାନ ମଧ୍ୟ ହୋଇପାରିଥାନ୍ତେ । ଗଜପତି ଜିଲ୍ଲାର ପ୍ରଚାର ପ୍ରସାର ମଧ୍ୟ ହୋଇପାରିଥାଆନ୍ତା । ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକ ବନ୍ଦ ରହିଥିବାବେଳେ, ଧିରେ ଧିରେ ଏହା ଖୋଲିବାରେ ଲାଗିଛି । ହେଲେ ପ୍ରଚାର ପ୍ରସାର ଏବଂ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ପର୍ଯ୍ୟଟନ ସ୍ଥଳୀ ଗୁଡିକ ଏବେ ଧ୍ୱଂସ ମୂଖରେ ରହିଥିବାବେଳେ ଏହାର ପୁନଃରୁଦ୍ଧାର ସହ,ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି ।