• ଦେଶରେ ଆରୋଗ୍ୟ ସଂଖ୍ୟା ପାଖାପାଖି 4.4 ଲକ୍ଷ; ଏହା ସକ୍ରିୟ ସଂଖ୍ୟାଠାରୁ 1.8 ଲକ୍ଷ ଅଧିକ
• ଜାତୀୟ ଆରୋଗ୍ୟ ହାର 61 ପ୍ରତିଶତକୁ ଅତିକ୍ରମ କଲା
ନୂଆଦିଲ୍ଲୀ: ଗତ ୬ ତାରିଖ ଦିନ ପ୍ରକାଶିତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ୧୬୮ତମ ରିପୋର୍ଟରେ ଭାରତରେ କୋଭିଡ-୧୯ ଆରୋଗ୍ୟ ହାର ନିୟୁତ ପିଛା ସର୍ବନିମ୍ନ ଦର୍ଶାଯାଇଛି । ବିଶ୍ଵରେ ଏହା ନିୟୁତ ପିଛା ୧୪୫୩.୨୫ ଥିବା ବେଳେ ଭାରତରେ ଏହା ୫୦୫.୩୭ ରହିଛି । ଚିଲିରେ ଏକ ନିୟୁତ ଜନସଂଖ୍ୟାରେ ଏହା ୧୫୪୫୯.୮ ଥିବା ବେଳେ ପେରୁ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ସ୍ପେନରେ ଏହା ଯଥାକ୍ରମେ ୯୦୭୦.୮, ୮୫୬୦.୫, ୭୪୧୯.୧ ଓ ୫୩୫୮.୭ ଦର୍ଶାଯାଇଛି ।
ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଭାରତରେ ୧ ନିୟୁତ ଜନସଂଖ୍ୟାରେ ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହିଛି । ଭାରତରେ ନିୟୁତ ପିଛା ଏହା ୧୪.୨୭ ହୋଇଥିବା ବେଳେ ବିଶ୍ଵରେ ଏହା ୪ଗୁଣ ଅଧିକ ଅର୍ଥାତ ୬୮.୨୯ ହାର ରହିଛି ।
ଇଂଲଣ୍ଡରେ ୧ ନିୟୁତ ଜନସଂଖ୍ୟାରେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ୬୫୧.୪ ହୋଇଥିବା ବେଳେ ସ୍ପେନ, ଇଟାଲୀ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଯଥାକ୍ରମେ ୬୦୭.୧, ୫୭୬.୬, ୪୫୬.୭ ଓ ୩୯୧.୦ ରହିଛି ।
ଭାରତ ଆବଶ୍ୟକତା ମୁତାବକ ହସ୍ପିଟାଲ ଭିତ୍ତିଭୂମି ସୁଦୃଢ କରିବା ସହ ସଂକ୍ରମଣ ରୋକିବା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରିଛି । ଏହିସବୁ ମଧ୍ୟରେ ଅମ୍ଳଜାନ ସହାୟତା, ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ଅନ୍ତର୍ଭୁକ୍ତ । ଅଦ୍ୟାବଧି (୦୭.୦୭.୨୦୨୦) ଦେଶରେ ୧୨୦୧ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ, ୨୬୧୧ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୯୯୦୯ଟି କୋଭିଡ ସେବା କେନ୍ଦ୍ରରେ ଗୁରୁତର ଠାରୁ ଆରମ୍ଭ କରି ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ଏହିସବୁ ପରିଚାଳନାଗତ ବ୍ୟବସ୍ଥା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି । ଶୀଘ୍ର ରୋଗ ଚିହ୍ନଟ ସାଙ୍ଗକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗୁଁ ଦିନକୁ ଦିନ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୫୧୫ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୩୯,୯୪୭ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତିଷେଧକ, ସଙ୍ଗରୋଧ ଓ ଉପଯୁକ୍ତ ପରିଚାଳନା ଫଳସ୍ଵରୂପ ନୀରବଚ୍ଛିନ୍ନ ଭାବେ ସକ୍ରିୟ ଓ ଆରୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଉଛି । ଆଜି ପର୍ୟ୍ୟନ୍ତ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ସଂଖ୍ୟା ଠାରୁ ୧,୮୦,୩୯୦ ଅଧିକ ରହିଛି । ସେ ଦୃଷ୍ଟିରୁ ସୁସ୍ଥତା ହାର ଶତକଡା ୬୧.୧୩ ଭାଗରେ ପହଞ୍ଚିଛି ।
ବର୍ତ୍ତମାନ ୨,୫୯,୫୫୭ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଉପରେ ଗୁରୁତ୍ଵାରୋପ କରାଯିବା ଯୋଗୁଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦିନକୁ ପ୍ରାୟ ୨ ଲକ୍ଷ ପର୍ୟ୍ୟନ୍ତ ନମୁନା ପରୀକ୍ଷଣ କରାଯାଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୪୧,୪୩୦ ନମୁନା ପରୀକ୍ଷା କରାଯାଇଛି । ଏଥିସହ ଦେଶବ୍ୟାପୀ ମୋଟ ପରୀକ୍ଷା କରାଯାଇଥିବା ନମୁନା ସଂଖ୍ୟା ୧,୦୨,୧୧,୦୯୨ରେ ପହଞ୍ଚିଛି ।
ସେହିପରି ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ନିୟମିତ ବୃଦ୍ଧି ଘଟି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୯୩ ସରକାରୀ ଓ ୩୨୨ଟି ଘରୋଇ ଏହିପରି ୧୧୧୫ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି ।
ସ୍ରୋତ: ପିଆଇବି