ସାମ୍ପ୍ରତିକ ପରିସ୍ଥିତିରେ ଆଡ଼ମିସନ ଫିସ୍ ଛାଡ଼ କରିବା ପାଇଁ କନ୍ଧମାଳରେ ତେଜିଲାଣି ଛାତ୍ର ଆନ୍ଦୋଳନ

279
ADVERTISEMENT

ଫୁଲବାଣୀ, ୨୯।୬ (ସୁରେଶ କୁମାର ପଣ୍ଡା): ଫୁଲବାଣୀବିଶ୍ୱ ମହାମାରୀ କରୋନା ଦୋହଲାଇ ଦେଇଛି ଭାରତର ଅର୍ଥନୀତି। ଲକଡ଼ାଉନ ଓ ସଟଡ଼ାଉନ କାରଣରୁ ବିଗିଡି ଯାଇଛି। ପ୍ରଭାବିତ ହୋଇଥିବା ବିଭାଗରେ ବ୍ୟାପକ ସୁଧାର ଆଣିବାକୁ ପ୍ରଚେଷ୍ଟା କରାଯାଉଥିବା ବେଳେ ଉଭୟ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଚର୍ଚ୍ଚାର ପରିସରଭୁକ୍ତ। ସମ୍ପ୍ରତି ଓଡ଼ିଶା ରାଜ୍ୟ ଗଣଶିକ୍ଷା ବିଭାଗ ଆଡ଼ମିସନ ପାଇଁ ବିଜ୍ଞପ୍ତି ଜାରି କରିଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଆଗାମୀ ଶିକ୍ଷାବର୍ଷ ନିମନ୍ତେ ପ୍ରସ୍ତୁତିର ଶେଷ ପର୍ଯ୍ୟାୟ। ସ୍କୁଲପିଲାଙ୍କ ଆଡ଼ମିସନ ବର୍ତ୍ତମାନ ଅଭିଭାବକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। କଲେଜ ଆଡ଼ମିସନ ପାଇଁ ଏଯାବତ ବିଜ୍ଞପ୍ତି ପାଇନଥିଲେ ହେଁ ଏହି ପ୍ରସଙ୍ଗରେ ସମ୍ୟକ ଆଲୋଚନା ହେଲେ କାହିଁକି କେଜାଣି ଅଭିଭାବକଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି । ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗରେ ବ୍ୟାପକ ସୁଧାର ଆଣିବାକୁ ଯାଇ ରାଜ୍ୟ ସରକାର ନିକଟରେ +୩ ର ଦ୍ବିତୀୟ/ଚତୁର୍ଥ ସେମିଷ୍ଟର ଏବଂ ପି.ଜି.ର ଦ୍ବିତୀୟ ସେମିଷ୍ଟର ପରୀକ୍ଷା ବାତିଲ କରି ବିନା ପରୀକ୍ଷାରେ ସେମିଷ୍ଟର ପ୍ରମୋଶନ ନିମନ୍ତେ ଘୋଷଣା କରିଥିଲେ। ଯାହା ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ଯତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋଭିଡ଼ବ୍ଯାଚର କଳାଦାଗ କୁ ନେଇ ମେଧାବୀ ଛାତ୍ରଛାତ୍ରୀଙ୍କ ମନରେ ସୃଷ୍ଟି ହୋଇଥିଲା ଏକ ଭୟାବହ ଆତଙ୍କ। ଶିକ୍ଷାଗତ କ୍ୟାରିଅର ରେ ଵ୍ୟାକ ନାମକ କଳଙ୍କ ଲଗାଇ ନଥିବା ଗରିବ ମେଧାବୀ ଛାତ୍ରଟିଏ ବର୍ତ୍ତମାନ ନିଜ ଆଡ଼ମିସନକୁ ଚିନ୍ତାର କାରଣ ହୋଇଛି । ସେଥିପାଇଁ ଛାତ୍ରକୁ କୌଣସି ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରାଇବା ଅନୁଚିତ। ଏକ ଉନ୍ନତ ମାନବ ସମ୍ବଳ ବିକାଶ ନିମନ୍ତେ ଦେଶର ପ୍ରଶାସନିକ ବ୍ୟବସ୍ଥା ଏ ସମ୍ପର୍କରେ ସଠିକ୍ ନିଷ୍ପତ୍ତି ନେବା ଜରୁରୀ। କରୋନା ମହାମାରୀ କାରଣରୁ ସମସ୍ତେ ଏକ ଅଶ୍ୱାଭାବିକ ପରିସ୍ଥିତିର ଶିକାର ହୋଇଛନ୍ତି। ବିଶେଷତଃ ଦିନ ମଜୁରିଆ ଓ ବ୍ୟବସାୟୀ ଶ୍ରେଣୀର ପରିବାରବର୍ଗ ବିତଉଛନ୍ତି ଏକ କରାଳ ଦୁର୍ଦ୍ଦିନର ସମୟ। ଲକଡ଼ାଉନ କାରଣରୁ ପାଖାପାଖି ୨ ମାସରୁ ଉର୍ଦ୍ଧ୍ବ ସମୟ ପ୍ରାୟ ଅନାହାର ଅବସ୍ଥାରେ ପଡ଼ି ରହିଛନ୍ତି। ଧାରକରଜରେ ବୁଡ଼ି ରହିଥିବା ଏହି ଦିନ ମଜୁରିଆ ଓ ବ୍ୟବସାୟୀ ଶ୍ରେଣୀର ଲୋକମାନଙ୍କର ବର୍ତ୍ତମାନ ଗୋଟିଏ ଲକ୍ଷ, ପରିସ୍ଥିତି ସ୍ବାଭାବିକ ହେଲେ ଋଣ ପରିଶୋଧ କରିବେ। ଏପରିକି ଉଭୟ ସରକାରୀ ଓ ବେସରକାରୀ ଚାକିରୀ କରିଥିବା ମଧ୍ୟବିତ୍ତ ଶ୍ରେଣୀର ପରିବାର ଲୋକେ ଯେଉଁ ପଇସାକୁ ଏକ ନିର୍ଦ୍ଦିଷ୍ଟ ଯୋଜନା ପାଇଁ ସଞ୍ଚୟ କରି ରଖିଥିଲେ, ତାହା ଲକଡ଼ାଉନ/ସଟଡ଼ାଉନ ସମୟରେ ବ୍ଯୟ ହୋଇଗଲା। ଏପରିସ୍ଥଳେ ବର୍ତ୍ତମାନ ଯଦି ଉଚ୍ଚଶିକ୍ଷା ଆଡ଼ମିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଏ ତେବେ ପାଖାପାଖି ୭୦ ପ୍ରତିଶତ ଛାତ୍ରଛାତ୍ରୀ ଅର୍ଥାଭାବରୁ ଏବର୍ଷ ଆଡମିସନରୁ ବଞ୍ଚିତ ହେବେ। ଅନିଚ୍ଛା ସତ୍ତ୍ବେ ଗୋଟିଏ ବର୍ଷ ପାଇଁ ପାଠପଢ଼ାରୁ ବିରତ ରହିବେ ଆର୍ଥିକ ସ୍ବଚ୍ଛଳତା ନ ଥିବା ମେଧାବୀ ଛାତ୍ରଛାତ୍ରୀ। ଏହି ସବୁ ପ୍ରସଙ୍ଗକୁ ବିଚାର କରି ଫିସ୍ ଛାଡ଼ କରାଯିବା ଉଚିତ। ବିଶେଷତଃ କନ୍ଧମାଳ ଭଳି ପ୍ରମୁଖ ଜନଜାତି ଅଧୁଷିତ ଜିଲ୍ଲା ମାନଙ୍କରେ ପରିବାରରେ ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥିବା ହେତୁ ଆଡମିଶନ ଫି ସମ୍ପୂର୍ଣ୍ଣ ଛାଡ଼ କରିବା ନେଇ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ବର ସହ ବିଚାର କରିବା ଉଚିତ। ଏହି ସବୁ ଭିତରେ କେତେକ ପ୍ରମୁଖ ସମସ୍ଯା ଗୁଡ଼ିକ ଛାତ୍ରଛାତ୍ରୀ ମାନଙ୍କ ମୁଣ୍ଡବିନ୍ଧାର କାରଣ ହେଲାଣି। ସଙ୍ଗରୋଧ କେନ୍ଦ୍ର ହୋଇଥିବା କଲେଜ ଗୁଡ଼ିକରୁ କରୋନା ପଜିଟିଭ ବାହାରିବା, ଛାତ୍ରାବାସ ମାନଙ୍କରେ ମେସ୍ ମାଲିକ ମାନେ ରହିବାକୁ ଅନୁମତି ନ ଦେବା, ଲକଡ଼ାଉନରେ ଘରେ ରହିଥିବା ସମୟରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ମେସିଂ ଚାର୍ଜ ନେବା ଇତ୍ୟାଦି ପ୍ରମୁଖ। ସାମ୍ପ୍ରତିକ ପରିସ୍ଥିତିରେ ରୋଜଗାର ଠପ୍ ହୋଇ ପଡ଼ିରହିଥିବା ବେଳେ ରହିନଥିବା ମାସର ମେସିଂ ଚାର୍ଜ ନେବା ଏବଂ ଆଗାମୀ ଶିକ୍ଷାବର୍ଷର ଆଡମିସନ ଫିସ୍ ବୋଝ ଉପରେ ନଳିତା ବିଡ଼ା ସଦୃଶ ପ୍ରତୀୟମାନ ହେଉଛି। ଏସବୁ ସମସ୍ଯାର ସମାଧାନ ପାଇଁ କନ୍ଧମାଳରେ ଆରମ୍ଭ ହେବାକୁ ହୋଇଛି ଛାତ୍ର ଆନ୍ଦୋଳନ । ଆନ୍ଦୋଳନ ଦୁଇଟି ପ୍ରମୁଖ ଦାବିକୁ ନେଇ। ପ୍ରଥମତଃ ଆଡମିଶନ ଫି ସମ୍ପୂର୍ଣ୍ଣ ଛାଡ଼ ଏବଂ ଦ୍ବିତୀୟରେ ସଙ୍ଗରୋଧ କେନ୍ଦ୍ର ହୋଇଥିବା କଲେଜ,ଛାତ୍ରାବାସ ଗୁଡ଼ିକୁ ସମ୍ପୂର୍ଣ୍ଣ ବିଶୋଧନ କରିବା। ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ପବିଙ୍ଗିଆ, ସାରଙ୍ଗଗଡ଼, ବିଶିପଡା, ଗୁମାଗଡ, ପାବୁରିଆ, ଲାଇନ ପଡା, ପସରା, କଳିଙ୍ଗା, ଗଞ୍ଜୁଗୁଡା, ତିଲକ ପଡା, ତୁଡ଼ିପାଜୁ, ଚକାପାଦ, ବ୍ରାହ୍ମଣପାଦ, ରୁପା ଗାଁ, ରୁଜାଙ୍ଗି, ପୀରକୁଡି, ଖଜୁରିପଡା, ତେରଗୁଡ଼ା, ତିଳକ ପଡା, ରାଇକିଆ, କୁତମ ଗଡ଼, ଶଙ୍କରାଖୋଲ, ଅଲାର ସାହି, କଇଁଝର, ପାବୁରିଆ, ଗୁମାଗାଡ, ଶଙ୍କରାଖୋଲ, ଆରାବାକା ଏବଂ ଟିକାବାଲି ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଦ୍ୟର୍ଥୀ ପରିଷଦ ସର୍ବଦା ଛାତ୍ର ସମାଜର ହିତ ପାଇଁ କାର୍ଯ୍ୟ କରି ଆସିଛି । ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ଆଗାମୀ ଦିନରେ ହେବାକୁ ଥିବା ଆଡ଼ମିସନ ଫିସ୍ ଛାଡ଼ କରିବା ପାଇଁ ସରକାରଙ୍କ ପାଖରେ ଦାବି ରଖିବା ସହିତ ଛାତ୍ର ସମାଜ ହିତରେ ସରକାର ଯଥାସମ୍ଭବ ପଦକ୍ଷେପ ନନେଲେ ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଜିଲ୍ଲାରେ ବ୍ୟାପିବ ବୋଲି କନ୍ଧମାଳ ଜିଲ୍ଲା ସଂଯୋଜକ ବିକାଶ କୁମାର ନାୟକ ଚେତାବନୀ ଦେଇଛନ୍ତି ।

Advertisement