ଆବଶ୍ୟକତା ଅନୁସାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ଯୋଗାଯିବ ଟ୍ରେନ : ରେଳ ବୋର୍ଡ ଅଧ୍ୟକ୍ଷ

491
DDNews
ADVERTISEMENT

ଭୁବନେଶ୍ୱର, ୧୨-୦୬: ରାଜ୍ୟଗୁଡିକର ଆବଶ୍ୟକତା ଅନୁସାରେ ପ୍ରବାସୀମାନଙ୍କୁ ନିରାପଦରେ ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ଘରେ ପହଞ୍ଚାଇବା ପାଇଁ ଭାରତୀୟ ରେଳ ଅଙ୍ଗୀକାରବଦ୍ଧ । ରେଳ ବୋର୍ଡ ଅଧ୍ୟକ୍ଷ ବିଭିନ୍ନ ରାଜ୍ୟକୁ ପତ୍ର ଲେଖିବା ପରେ ବର୍ତ୍ତମାନ ସୁଦ୍ଧା କେତେକ ରାଜ୍ୟ ମୋଟ ୬୩ଟି ଶ୍ରମିକ ସ୍ପେଶାଲ ଟ୍ରେନ ପାଇଁ ବରାଦ କରିଛନ୍ତି । ୭ଟି ରାଜ୍ୟ ଯଥା – କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ଜମ୍ମୁ ଓ କଶ୍ମୀର ଶ୍ରମିକ ଶ୍ପେଶାଳ ଟ୍ରେନ ପାଇଁ ବରାଦ କରିଛନ୍ତି । ୬୩ ରୁ ଆନ୍ଧ୍ରପ୍ରଦେଶ ୩ଟି ଟ୍ରେନ ବରାଦ କରିଥିବାବେଳେ ଗୁଜରାଟ ଗୋଟିଏ, ଜମ୍ମୁ କଶ୍ମୀର ୯ଟି, କର୍ଣ୍ଣାଟକ ୬ଟି, କେରଳ ୩୨ଟି, ତାମିଲନାଡୁ ୧୦ଟି ଏବଂ ପଶ୍ଚିମବଙ୍ଗ ୨ଟି ଟ୍ରେନ ବରାଦ କରିଛନ୍ତି । ଉତ୍ତରପ୍ରଦେଶ ଆବଶ୍ୟକତା ଅନୁସାରେ ବରାଦ କରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରେଳ ବୋର୍ଡ ଅଧ୍ୟକ୍ଷ ମେ’ ୨୯, ଜୁନ ୩ ଓ ୯ ତାରିଖ ଦିନ ରାଜ୍ୟମାନେ ଚାହିଁଲେ ୨୪ ଘଣ୍ଟା ମଧ୍ୟରେ ଶ୍ରମିକ ଟ୍ରେନ ଯୋଗାଇ ଦିଆଯିବ ବୋଲି ରାଜ୍ୟଗୁଡ଼ିକୁ ପତ୍ର ଲେଖିଥିଲେ । ରେଳ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟଗୁଡିକୁ ପତ୍ର ଲେଖି ସେମାନଙ୍କ ଆବଶ୍ୟକତା ମୁତାବକ ଟ୍ରେନ ଓ ରେଳ ଦ୍ଵାରା କେତେ ପ୍ରବାସୀ ଯାତ୍ରା କରିବେ ସେ ସମ୍ପର୍କରେ ଜଣାଇବାକୁ ମଧ୍ୟ ଅନୁରୋଧ କରିଥିଲେ । ଭବିଷ୍ୟତରେ ମଧ୍ୟ ଆବଶ୍ୟକ ହେଲେ ଅତିରିକ୍ତ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇବାକୁ ଭାରତୀୟ ରେଳ ପ୍ରତିଶ୍ରୁତି ଦେଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ରେଳ ଏପର୍ୟ୍ୟନ୍ତ ୪,୨୭୭ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗାଇ ପ୍ରାୟ ୬୦ ଲକ୍ଷ ପ୍ରବାସୀଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି । ଗତ ମେ’ ପହିଲାଠାରୁ ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଚଳାଚଳ କରୁଛି ।

Advertisement