କୋଭିଡ-୧୯ ପରିଚାଳନା ଦିଗରେ ରାଜ୍ୟଗୁଡିକୁ ସହାୟତା ଯୋଗାଇବା ପାଇଁ ୬ଟି ସହରରେ କେନ୍ଦ୍ରୀୟ ଦଳ

191
ADVERTISEMENT

ନୂଆଦିଲ୍ଲୀ,୧୧-୦୬ (ଡିଏଚ): ଗତ ୨୪ ଘଣ୍ଟା ମଧ୍ୟରେ ୫,୯୯୧ କୋଭିଡ-୧୯ ସଂକ୍ରମିତ ରୋଗୀ ଆରୋଗ୍ୟ ଲାଭ କଲେଣି । ଏହାକୁ ମିଶାଇ ୧,୩୫,୨୦୫ ଜଣ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ବର୍ତ୍ତମାନ ୧,୩୩,୬୩୨ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ପ୍ରଥମଥର ପାଇଁ ମୋଟ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ସକ୍ରିୟ ରୋଗୀ ସଂଖ୍ୟାକୁ ଅତିକ୍ରମ କରିଛି । ବର୍ତ୍ତମାନ ଆରୋଗ୍ୟ ଲାଭ କରିଥିବା ହାର ୪୮.୮୮%ରେ ପହଞ୍ଚିଛି ।

ଆଇସିଏମଆର ଦ୍ୱାରା କରାଯାଇଥିବା ପରୀକ୍ଷା ସଂଖ୍ୟା ୫୦ ଲକ୍ଷରୁ ଅଧିକ ହୋଇ ଆଜି ୫୦,୬୧,୩୩୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଇସିଏମଆର ୧,୪୫,୨୧୬ଟି ନମୁନା ପରୀକ୍ଷା କରିଛି । ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ନୋଭେଲ କରୋନା ଭୂତାଣୁ ଚିହ୍ନଟ ପାଇଁ ଆଇସିଏମଆର ପରୀକ୍ଷା କ୍ଷମତାକୁ ବୃଦ୍ଧି କରିବାରେ ଲାଗିଛି । ସରକାରୀ ପରୀକ୍ଷାଗାର ୫୯୦କୁ ବୃଦ୍ଧି ପାଇଥିବା ବେଳେ ଘରୋଇ ପରୀକ୍ଷାଗାର ସଂଖ୍ୟା ୨୩୩କୁ ବୃଦ୍ଧି କରାଯାଇଛି (ମୋଟ ୮୨୩) ।

ବୈଷୟିକ ସହାୟତା ତଥା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସହାୟତା କରିବା ଲାଗି ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ କୋଲକାତା, ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ୬ଟି ସହରରେ କେନ୍ଦ୍ରୀୟ ଦଳଗୁଡିକୁ ନିୟୋଜିତ କରାଯାଇଛି ।

ଏହି ଦଳ ଆସନ୍ତା ଏକ ସପ୍ତାହ ମଧ୍ୟରେ ବିଭିନ୍ନ ସହର ପରିକ୍ରମା କରି କୋଭିଡ-୧୯ ପାଇଁ ନିଆଯାଇଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପର ସମୀକ୍ଷା କରିବେ । ଏହି ଦଳଗୁଡିକ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ପ୍ରତିଦିନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟକୁ ତଥ୍ୟ ପ୍ରଦାନ କରିବେ । ସେମାନେ ପରିଦର୍ଶନ ଶେଷ ପୂର୍ବରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ତଥା ସେମାନେ ପର୍ୟ୍ୟବେକ୍ଷଣ କରିଥିବା ବିଭିନ୍ନ ସମସ୍ୟା ଓ ନିଜସ୍ୱ ମତାମତ ସମ୍ବଳିତ ତଥ୍ୟ ମନ୍ତ୍ରଣାଳୟକୁ ପ୍ରଦାନ କରିବେ ।

Advertisement