ଛୋଟ ସହର ଓ ଗ୍ରାମାଂଚଳରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

346
ADVERTISEMENT

ନୂଆଦିଲ୍ଲୀ,୨୭-୦୫: କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ ଜାରି କରିଛନ୍ତି । ଏହାର ପ୍ରଭାବରେ ବିଭିନ୍ନ ଉଦ୍ୟୋଗଗୁଡ଼ିକ ବନ୍ଦ ହେବା ଫଳରେ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଛି । ତେବେ ଆର୍ଥିକ ସୁଧାର ଲାଗି କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରକୁ ପ୍ରୋତ୍ସାହନ ଲାଗି ୩ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି । ଏହାଛଡ଼ା ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । ଏମଏସଏମଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଅଂଶୀଦାରମାନେ ଏହି ପ୍ୟାକେଜକୁ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ଧନ୍ୟବାଦ ଜଣାଇଛନ୍ତି ।

ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଠାରେ ରହିଛି ଏମଜେ ଷ୍ଟିଲ ଇଣ୍ଡଷ୍ଟ୍ରି । ଲକଡାଉନ କାରଣରୁ ଏହି ଉଦ୍ୟୋଗର କାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯିବା ପରେ ଏଭଳି ଉଦ୍ୟୋଗଗୁଡ଼ିକୁ ପୁନଃକାର୍ୟ୍ୟକ୍ଷମ ହୋଇପାରିବ ବୋଲି ଏମଜେ ଷ୍ଟିଲ ଇଣ୍ଡଷ୍ଟ୍ରିର ମାଲିକ ବି. ଅଭିନାଶ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଯୁଗାନ୍ତକାରୀ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି ।

ସେହିପରି ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗର ଔପଚାରିକରଣ ପାଇଁ ଘୋଷିତ ୧୦ ହଜାର କୋଟି ଟଙ୍କାର ପ୍ୟାକେଜକୁ ଗଜପତି ଜିଲ୍ଲା କାଜୁ ଉଦ୍ୟୋଗୀ ସଂଘର ସଭାପତି ଜି. ଅନୀଲ କୁମାର ମଧ୍ୟ ସ୍ୱାଗତ କରିଛନ୍ତି । ସେ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜିଲ୍ଲାର ଅନ୍ୟ ଉଦ୍ୟୋଗୀମାନେ ମଧ୍ୟ ଏପରି ପ୍ରୋତ୍ସାହନ ପ୍ୟାକେଜକୁ ପ୍ରଶଂସା କରିବା ସହିତ କରୋନା ପ୍ରଭାବିତ ଅର୍ଥବ୍ୟବସ୍ଥାରେ ସୁଧାର କ୍ଷେତ୍ରରେ ଏଭଳି ପ୍ୟାକେଜ ବିଶେଷ ସହାୟକ ହୋଇପାରିବ ବୋଲି ମତପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ଏମଏସଏମଇ ଏବଂ ଛୋଟ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ମିଳିବା ଫଳରେ ଛୋଟ ସହର, ଗ୍ରାମାଂଚଳରେ ଲୋକମାନଙ୍କୁ ଯଥେଷ୍ଟ ପରିମାଣରେ ରୋଜଗାର ଉପଲବ୍ଧ ହେବ । ଏହାଦ୍ୱାରା ସେମାନଙ୍କ କ୍ରୟ ଶକ୍ତି ମଧ୍ୟ ବଢ଼ିବ । ଫଳରେ କରୋନା ଜନିତ ଲକଡାଉନ କାରଣରୁ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଥିବା ଦେଶର ଅର୍ଥବ୍ୟବସ୍ଥା ପୁନର୍ଜ୍ଜିବିତ ହୋଇପାରିବ ।

Advertisement