ବନ୍ଦେ ଭାରତ ମିଶନରେ ୪୩ ବିମାନ ଯୋଗେ ଦେଶକୁ ଫେରିଲେ ୮୫୦୩ ଭାରତୀୟ

170
Image:punekarnews
ADVERTISEMENT

ନୂଆଦିଲ୍ଲୀ,୧୪-୦୫ (ଡିଏଚ): ବନ୍ଦେ ଭାରତ ମିଶନରେ ମେ ୭ ତାରିଖରୁ ୬ ଦିନରେ ୮୫୦୩ ଜଣ ଭାରତୀୟ ୪୩ଟି ବିମାନ ଯୋଗେ ସ୍ୱଦେଶକୁ ଫେରିଛନ୍ତି । କରୋନା ମହାମାରୀ ଯୋଗୁଁ ଜାରି ହୋଇଥିବା ଲକଡାଉନ କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ମେ ୭ ତାରିଖରୁ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଥିଲା । ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦ୍ୱାରା ପରିଚାଳିତ ବିମାନ ମାଧ୍ୟମରେ ଏହି ଭାରତୀୟମାନଙ୍କୁ ଅଣାଯାଉଛି ।

ବନ୍ଦେ ଭାରତ ମିଶନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସମନ୍ୱୟରେ କାର୍ୟ୍ୟକାରୀ ହେଉଛି । ବିଭିନ୍ନ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଏହି କାର୍ୟ୍ୟ କରାଯାଉଛି ।

ଏହି କାର୍ୟ୍ୟକ୍ରମରେ ଏୟାର ଇଣ୍ଡିଆ ଓ ଏହାର ସହକାରୀ ସଂସ୍ଥା ଏୟାର ଇଣ୍ଡିଆ ଏକ୍ସପ୍ରେସ ମୋଟ ୬୪ଟି ବିମାନକୁ ନିୟୋଜିତ କରିଛନ୍ତି । ସେଥି ମଧ୍ୟରୁ ଏୟାର ଇଣ୍ଡିଆର ୪୨ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ୨୪ଟି ବିମାନ ଅନ୍ତର୍ଭୁକ୍ତ । ଆମେରିକା, ବ୍ରିଟେନ, ବାଂଲାଦେଶ, ସିଙ୍ଗାପୁର, ସାଉଦି ଆରବ, କୁଏତ, ଫିଲିପାଇନ୍ସ, ମାଲେସିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ମୋଟ ୧୨ଟି ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରଥମ ପର୍ୟ୍ୟାୟ ଫେରାଇ ଅଣାଯାଉଛି ।

‘ବନ୍ଦେ ଭାରତ’ ମିଶନ ଅଟକି ଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବାର ଏକ ବିରାଟ କାର୍ୟ୍ୟକ୍ରମ । ଏଥିରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଓ ନିରାପତ୍ତା ବ୍ୟବସ୍ଥାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଡିଜିସିଏ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ କଡାକଡି ଭାବେ ପାଳନ କରୁଛି । ବିମାନ କର୍ମଚାରୀ, ବୈମାନିକ, ଯାତ୍ରୀ ଏବଂ ବିମାନ ବନ୍ଦରର ଗ୍ରାଉଣ୍ଡ ଷ୍ଟାଫ ଓ ଅନ୍ୟାନ୍ୟ କର୍ମଚାରୀ ଯେପରି ଭୂତାଣୁ ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ସବୁ ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ନିରାପତ୍ତା ଓ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ସବୁ ନିରାପତ୍ତା ବ୍ୟବସ୍ଥାକୁ ଉପଯୁକ୍ତ ଭାବେ କାର୍ୟ୍ୟକାରୀ କରାଯାଉଛି ।

Advertisement