ଗଞ୍ଜାମ ଜିଲ୍ଲାରେ ଅଧିକାଂଶ କରୋନା ରୋଗୀ ଚିହ୍ନଟ

468
ADVERTISEMENT

ବ୍ରହ୍ମପୁର, ୧୩-୦୫(ଗୁରୁ ପ୍ରସାଦ ପଟନାୟକ) : ଗଞ୍ଜାମ ଜିଲ୍ଲାରେ ଅଧିକାଂଶ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥ୍ୟ ପାଇଁ ରାଜ୍ୟବାସୀଙ୍କର ଚିନ୍ତା ମଧ୍ୟ ବଢ଼ିଛି । କିନ୍ତୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗ ଲୋକଙ୍କୁଭୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଜିଲ୍ଲାରେ ଯଦିଓ କରୋନା ପଜିଟିଭ ସଂଖ୍ୟା ବଢ଼ିଛି, ତଥାପି ଏଠାରେ ଗୋଷ୍ଠୀ ସଂକ୍ରମଣର କୌଣସି ଚିହ୍ନ ନାହିଁ । ତେଣୁ ଲୋକମାନେ ଡରନ୍ତୁ ନାହିଁ । ଜିଲ୍ଲାପାଳ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ ଆମର ଟିମ୍ କାର୍ଯ୍ୟକରୁଛି । ତେଣୁ ଜିଲ୍ଲାରେ ଆଦୌ ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ନାହିଁ । ଲୋକେ ଡରନ୍ତୁ ନାହିଁ ଲୋକେ ନ ଡରିବେ ବୋଲି ସଚେତନ କରାଯାଉଛି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗ କହିଛନ୍ତି,ଗଞ୍ଜାମ ଜିଲ୍ଲାକୁ ଏପର୍ଯ୍ୟନ୍ତ ପ୍ରାୟ ୩୫ ହଜାର ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସିଛନ୍ତି । ଆଗାମୀ ଦିନରେ ଆହୁରି ପ୍ରବାସୀ ଆସିବେ । ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୧୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା । ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୧୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟରେ ରାତି ୧୨ଟା ସୁଦ୍ଧା ୬୮ହଜାର ୫୭ଟି ନମୁନା ପରୀକ୍ଷା ହୋଇଛି । ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ୪୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୫ ଜଣ ସୁସ୍ଥ ହୋଇଥିବା ବେଳେ ୩୪୯ ଜଣ ଚିକିତ୍ସାଧୀନ ଅଛନ୍ତି ।

Advertisement