ଲକଡାଉନ ସମୟରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଉଛି ଡିପିଆଇଆଇଟି କଣ୍ଟ୍ରୋଲ ରୁମ

294
ADVERTISEMENT

ନୂଆଦିଲ୍ଲୀ, ୩୦-୦୪ (ଡିଏଚ) : କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅନ୍ତର୍ଗତ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ୨୬ ମାର୍ଚ୍ଚ ୨୦୨୦ ଠାରୁ ଏକ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରିଛି ।

ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ର ସହ ଜଡିତ ବିଭିନ୍ନ ସମସ୍ୟାର ସମାଧାନ ଏହି କଣ୍ଟ୍ରୋଲ ରୁମ ଜରିଆରେ କରାଯାଉଛି । ବିଭିନ୍ନ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ଓ ପୁଲିସ ଅଧିକାରୀଙ୍କ ସହ ଯୋଗାଯୋଗ ରକ୍ଷା କରି ଏହି କଣ୍ଟ୍ରୋଲ ରୁମ ଜରିଆରେ ସମସ୍ୟାର ତ୍ୱରିତ ସମାଧାନ କରାଯାଉଛି । ଲକଡାଉନ ସମୟରେ ଏହି କଣ୍ଟ୍ରୋଲ ରୁମ ମାଧ୍ୟମରେ ଆଭ୍ୟନ୍ତରୀଣ ବାଣିଜ୍ୟ, ଉତ୍ପାଦନ, ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ସହ ଜଡିତ ବିଭିନ୍ନ ଅଂଶୀଦାରଙ୍କ ସମସ୍ୟାଗୁଡିକୁ ସମାଧାନ କରାଯାଉଛି । ୨୮ ଏପ୍ରିଲ ୨୦୨୦ ସୁଦ୍ଧା ପଞ୍ଜୀକୃତ ହୋଇଥିବା ୧୯୬୨ଟି ସମସ୍ୟା ମଧ୍ୟରୁ ୧୭୩୯ ସମସ୍ୟାର ସମାଧାନ କରାଯାଇସାରିଛି । ୨୨୩ଟି ସମସ୍ୟା ଲାଗି ସମାଧାନ ପ୍ରକ୍ରିୟା ଚାଲୁ ରହିଛି ।

ଏହି କଣ୍ଟ୍ରୋଲ ରୁମର ପରିଚାଳନା ଓ ଏହା ଜରିଆରେ ଆସୁଥିବା ସମସ୍ୟାର ସମାଧାନ ଲାଗି ଏକ ଉତ୍ସର୍ଗୀକୃତ ଟିମ ଗଠନ କରାଯାଇଛି । ଏହି ଟିମ ସହାୟତା ଚାହୁଁଥିବା ଲୋକ ଏବଂ ସମାଧାନ ପାଇଁ ଆବଶ୍ୟକ ବିଭିନ୍ନ ଏଜେନ୍ସି ସହିତ ନିରବଚ୍ଛିନ୍ନ ଯୋଗାଯୋଗ ରକ୍ଷା କରି ସମସ୍ୟାର ସମାଧାନ କରନ୍ତି । ଏହି କଣ୍ଟ୍ରୋଲ ରୁମ ମାଧ୍ୟମରେ ଉଭୟ ଟେଲିଫୋନ ଓ ଇ-ମେଲ ଦ୍ୱାରା ସମସ୍ୟା ସହିତ ପ୍ରଶ୍ନ ଆସିଥାଏ । ଯଦି କୌଣସି ଉତ୍ପାଦ ପ୍ରସ୍ତୁତକର୍ତ୍ତା, ପରିବହନକାରୀ ସଂସ୍ଥା, ହୋଲସେଲର ବା ଡିଷ୍ଟ୍ରିବ୍ୟୁଟର ଉତ୍ପାଦର ପରିବହନ ଓ ବିତରଣରେ କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ବିଭାଗର ନିମ୍ନଲିଖିତ ଟେଲିଫୋନ/ଇ-ମେଲରେ ଯୋଗାଯୋଗ କରିପାରିବେ । ଟେଲିଫୋନ ନମ୍ବର: + ୯୧ ୧୧ ୨୩୦୬୨୪୮୭ ଇ-ମେଲ : [email protected] ଏହି ଟେଲିଫୋନ ନମ୍ବର ପ୍ରତ୍ୟହ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ରହେ ।

Advertisement