ପାତ୍ରପୁର, ୨୯।୦୪ (ଋଷିକେଶ ବେହେରା) ; ଚିକିଟି ବ୍ଲକର ଲୋକଙ୍କୁ ଅଭିନୟ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଉଛନ୍ତି ଚାରିଜଣ ଛାତ୍ରୀ ବନ୍ଦନା ସାହୁ, ଶୁଭଶ୍ରୀ ପାତ୍ର, ପି. ଐଶ୍ୱରିୟା ରାଓ ଏବଂ ଆରତୀ ସାହୁ । ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେବା ସହିତ ଏଣେ ତେଣେ ଛେପ ନପକାଇବାକୁ କହୁଛନ୍ତି । ସାମାଜିକ ଦୂରତ୍ୱ ହିଁ କରୋନା ମହାମାରୀ ପାଇଁ ଅମୋଘ ଅସ୍ତ୍ର ବୋଲି ଏମାନେ ଜଣେ ଜଣେ ଶ୍ରମିକ ଚରିତ୍ରରେ ଅଭିନୟ କରି କହିଛନ୍ତି । ଲୋକେ ସଚେତନ ହେଲେ କରୋନା ଆମ ପାଖ ମାଡି ପାରିବନି ବୋଲି କହି ସରକାରୀ ନିର୍ଦେଶକୁ ମାନି ଘରେ ଲୋକଙ୍କୁ ରହିବା ପାଇଁ ଅନୁରୋଧ କରିଛନ୍ତି । ଏହି ଛାତ୍ରୀମାନଙ୍କୁ ନାଟ୍ୟକାର ରାଜଗୋପାଳ ପାଢ଼ୀ ଅଭିନୟ ଶିଖାଉଛନ୍ତି ।