ଉତ୍ତର ପୂର୍ବାଞ୍ଚଳର ଆଠଟି ରାଜ୍ୟ ମଧ୍ୟରୁ ପାଞ୍ଚଟି କରୋନା ମୁକ୍ତ : ଜିତେନ୍ଦ୍ର ସିଂହ ଅନ୍ୟ ତିନିଟିରେ ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି

146
Image: PIB
ADVERTISEMENT

ନୂଆଦିଲ୍ଲୀ, ୨୮/୦୪ (ଡ଼ିଏଚ) : ଉତ୍ତର-ପୂର୍ବାଞ୍ଚଳର ଆଠଟି ରାଜ୍ୟ ମଧ୍ୟରୁ ପାଞ୍ଚଟି କରୋନା ମୁକ୍ତ ହୋଇଥିବାବେଳେ ଅବଶିଷ୍ଟ ତିନୋଟିରେ ଗତ କିଛି ଦିନ ହେବ ନୂଆ ସଂକ୍ରମଣ ଘଟଣା ଘଟିନାହିଁ । ଏହି ଅଞ୍ଚଳରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କରେ ଏକ ଭିଡିଓ କନଫରେନସିଂ ବ୍ୟବସ୍ଥାରେ ସମୀକ୍ଷା କରିବା ପରେ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ମନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ଯେ ସିକ୍କିମ, ନାଗାଲାଣ୍ଡ, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର ଓ ତ୍ରିପୁରା ଏବେ ସଂପୂର୍ଣ୍ଣ କରୋନା ମୁକ୍ତ ହୋଇଛି । ଆସାମ, ମେଘାଳୟ ଓ ମିଜୋରାମରେ ଯଥାକ୍ରମେ ୮, ୧୧ ଓ ଜଣେ ଲୋକ ସଂକ୍ରମିତ ହୋଇଥିଲେ । ସେମାନଙ୍କର ଚିକିସ୍ଥା ଚାଲିଛି । ଏହି ତିନି ରାଜ୍ୟରେ ରବିବାର ସୁଦ୍ଧା କୌଣସି ନୂଆ ସଂକ୍ରମଣ ଘଟଣା ଘଟିନାହିଁ । ଉତ୍ତମ ସମନ୍ଵୟ ଓ ଉପଯୁକ୍ତ ପଦକ୍ଷେପ ଯୋଗୁ ଏହି ଅଞ୍ଚଳରେ କରୋନା ସଂକ୍ରମଣ ନିୟନ୍ତ୍ରିତ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ସିଂହ ସମ୍ପୃକ୍ତ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ, ଉତ୍ତର-ପୂର୍ବାଞ୍ଚଳ ପରିଷଦ, ପ୍ରାଦେଶିକ ପ୍ରଶାସନ ଓ ନିଜ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ସମୀକ୍ଷା ବୈଠକରେ ଉତ୍ତର-ପୂର୍ବାଞ୍ଚଳର ବିକାଶ ସହିତ ସମ୍ପୃକ୍ତ ବିଭିନ୍ନ ସଂସ୍ଥା ଓ ସଙ୍ଗଠନର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହ ମଧ୍ୟ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟ ସମୂହର ଯେଉଁ ବିକାଶ ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି ତାହାଦ୍ଵାରା ସେ ଅଞ୍ଚଳରେ ଅର୍ଥନୈତିକ ଓ ସାମାଜିକ ସ୍ଥିତିରେ ଉଲ୍ଲେଖନୀୟ ଅଗ୍ରଗତି ଘଟିବ ବୋଲି ଶ୍ରୀ ସିଂହ କହିଛନ୍ତି ।

Advertisement