• ୩୩ କୋଟିରୁ ଅଧିକ ଗରିବ ଲୋକଙ୍କୁ ୩୧,୨୩୫ କୋଟି ଟଙ୍କାର ଆର୍ଥିକ ସହାୟତା
• ୨୦.୦୫ କୋଟି ମହିଳା ଜନଧନ ଖାତାଧାରୀଙ୍କ ମଧ୍ୟରେ ୧୦,୦୨୫ କୋଟି ଟଙ୍କା ବଣ୍ଟାଯାଇଛ
• ୨.୮୨ କୋଟିରୁ ଅଧିକ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବାବଦରେ ପାଇଛନ୍ତି ୧୪୦୫ କୋଟି ଟଙ୍କା
• ପିଏମ-କିଷାନ ଯୋଜନାର ପ୍ରଥମ କିସ୍ତିରେ ୮ କୋଟି ଚାଷୀଙ୍କୁ ମିଳିଛି ୧୬,୧୪୬ କୋଟି ଟଙ୍କାର ସହାୟତା
• ଇପିଏଫ ବାବଦରେ ୬୮,୭୭୫ ସଂସ୍ଥାକୁ ପ୍ରଦାନ କରଯାଇଛି ୧୬୨ କୋଟି ଟଙ୍କା, ଉପକୃତ ହୋଇଛନ୍ତି ୧୦.୬ ଲକ୍ଷ କର୍ମଚାରୀ
• ୨.୧୭ କୋଟି କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ପାଇଛନ୍ତି ୩୪୯୭ କୋଟି ଟଙ୍କାର ସହାୟତା
• ୩୭.୨୭ କୋଟି ହିତାଧିକାରୀଙ୍କୁ ଦିଆଯାଇଛି ମାଗଣାରେ ରାସନ ବାବଦ ଖାଦ୍ୟସଶ୍ୟ
• ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୧,୦୯,୨୨୭ ମେଟ୍ରିକ ଟନ ଡାଲି ଯୋଗାଇ ଦିଆଯାଇଛି
• ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨.୬୬ କୋଟି ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ, ୨୩/୦୪(ଡିଏଚ) : ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ୩୩ କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏ ପର୍ୟ୍ୟନ୍ତ (୨୦୨୦ ଏପ୍ରିଲ ୨୨) ୩୧,୨୩୫ କୋଟି ଟଙ୍କା ସିଧାସଳଖ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ ୨୬ରେ ଏହି ତଥ୍ୟ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ ଲକଡାଉନର ପ୍ରଭାବରୁ ଗରିବ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ସହାୟତା ଯୋଗାଇ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଅଂଶ ସ୍ୱରୂପ ସରକାର ମହିଳା, ଗରିବ, ବରିଷ୍ଠ ନାଗରିକ ଓ ଚାଷୀମାନଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ଏହି କାର୍ୟ୍ୟକ୍ରମରେ ତ୍ୱରିତ ଓ ଉପଯୁକ୍ତ କାର୍ୟ୍ୟକାରିତା ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନଜର ରଖିଛନ୍ତି ଏବଂ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ସଂପୃକ୍ତ ଅନ୍ୟାନ୍ୟ ମନ୍ତ୍ରଣାଳୟ ମଧ୍ୟ ଏହାର କାର୍ୟ୍ୟକାରିତାକୁ ତଦାରଖ କରୁଛନ୍ତି । କ୍ୟାବିନେଟ ସେକ୍ରେଟାରିଏଟ ମଧ୍ୟ ଏହା ଉପରେ ନଜର ରଖିଛି । ଏହି କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଲକଡାଉନ କାଳରେ ଗରିବ ଓ ଅଭାବୀ ଲୋକ ଯେପରି ଅସୁବିଧା ନ ଭୋଗନ୍ତି।
ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ସମୟରେ ତାହା ଯେପରି ବାଟମାରଣା ନହୁଏ ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଆର୍ଥିକ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥିବାବେଳେ ଖାଦ୍ୟଶସ୍ୟ, ଗ୍ୟାସ ସିଲିଣ୍ଡର ସେମାନଙ୍କୁ ସରକାରୀ ଅନୁମୋଦିତ ବ୍ୟବସ୍ଥାରେ ଯୋଗାଇ ଦିଆଯାଇଛି ।
ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ଏପ୍ରିଲ ୨୨ ସୁଦ୍ଧା ଯେଉଁସବୁ ସହାୟତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ଯୋଗାଇ ଦିଆଯାଇଛି ତାହାର ଏକ ତାଲିକା ନିମ୍ନରେ ପ୍ରଦାନ କରାଯାଇଛି ।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨.୬୬ କୋଟି ଗ୍ୟାସ ସିଲିଣ୍ଡର ହିତାଧିକାରରୀଙ୍କୁ ମାଗଣାରେ ଯୋଗାଇ ଦିଆଯାଇଛି । ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ୧,୦୯,୨୭୭ ମେଟ୍ରିକ ଟନ ଡାଲି କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି । ଲୋକଙ୍କୁ ଲକଡାଉନ ପ୍ରଭାବରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ୩୯.୨୭ କୋଟି ହିତାଧିକାରୀଙ୍କୁ ମାଗଣାରେ ରାସନ ବାବଦ ଖାଦ୍ୟଶସ୍ୟ ଦିଆଯାଇଛି ।
ଏପ୍ରିଲ ୧, ୨୦୨୦ ଠାରୁ ମନରେଗା ଯୋଜନା ଅନ୍ତର୍ଗତ ପାରିଶ୍ରମିକରେ ବୃଦ୍ଧି କରାଯାଇଛି । ୧,୨୭ କୋଟି କାର୍ୟ୍ୟ ଦିବସ ସୃଷ୍ଟି କରାଯାଇଛି । ଏଥିପାଇଁ ରାଜ୍ୟମାନଙ୍କୁ ୭୩୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ପିଏମ-କିଷାନ ଯୋଜନା ଅନ୍ତର୍ଗତ ୧୬,୧୪୬ କୋଟି ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ସମସ୍ତ ୮ କୋଟି ଚିହ୍ନିତ ହିତାଧିକାରୀ ନିଜ ବ୍ୟାଙ୍କ ଖାତରେ ୨୦୦୦ ଟଙ୍କା ଲେଖାଏଁ ପାଇଛନ୍ତି ।
୨୦.୦୫ କୋଟି ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ମିଳିଛି। ୨୨ ଏପ୍ରିଲ ୨୦୨୦ ସୁଦ୍ଧା ଏ ବାବଦକୁ ମୋଟ ୧୦,୦୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଜାତୀୟ ସାମାଜିକ ସହାୟତା କାର୍ୟ୍ୟକ୍ରମ ଅଧିନରେ ପ୍ରାୟ ୨.୮୨ କୋଟି ବୃଦ୍ଧ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୧୪୦୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଭାବେ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଆର ମାସକୁ ଦ୍ୱିତୀୟ କିସ୍ତିରେ ଆଉ ୫୦୦ ଟଙ୍କା ପ୍ରଦାନ କରାଯିବ ।
୨.୧୭ କୋଟି ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଦେଶବ୍ୟାପୀ ନିର୍ମାଣ ଶ୍ରମିକମାନଙ୍କୁ ମୋଟ ୩୪୯୭ କୋଟି ଟଙ୍କାର ସହାୟତା ଦିଆଯାଇଛି ।