ଚିକିଟୀ , ୨୨/୦୪ (ଋଷିକେଶ ବେହେରା) : ଦେଶରେ ପଡ଼ିଛି ତାଲା । କାମଧନ୍ଦା ସବୁ ବନ୍ଦ । ନେଇଥିବା ଠିକାଦାର ମଧ୍ୟ ହାତ ଛାଡ଼ି ଦେଇଛି । ଏଭଳି ସ୍ଥିତିରେ ଭାତ ଗଣ୍ଡାଏ ମିଳିବା ବି ମୁସ୍କିଲ୍ । ଅଚିହ୍ନା ରାଇଜରେ ଅଭାବୀ ପେଟର ଭୋକ ବୁଝିବ ବା କିଏ ? ମାର୍ଚ୍ଚ ୨୫ରୁ ଲକଡାଉନ୍ ପରେ କାମ ନଥିବାରୁ ହାତବାନ୍ଧି ବସିଥିବା ୭ ଜଣ ଶେଷରେ ଗାଁକୁ ଫେରିଛନ୍ତି । ଗାଡ଼ି ମୋଟର ସହ ଟ୍ରେନ୍ ଚାଲୁନଥିବାରୁ ସାହାରା ପାଲଟିଥିଲା ସାଇକେଲ୍ । ଦେହରେ କଷ୍ଟ, ମୁହଁରେ ହସ ।
ଏହା ହେଉଛି ଭିଟାମାଟିକୁ ଫେରିବାର ହସ । ସୁଦୂର ଚେନ୍ନାଇରୁ ଦୀର୍ଘ ୧୧ ଶହ କିଲୋମିଟରକୁ ୬ ଦିନରେ ଅତିକ୍ରମ କରି ଚିକିଟି ବ୍ଲକର ସୋରଳ ଗାଁରେ ପହଞ୍ଚିଛନ୍ତି ୭ ଜଣ । ପ୍ରଶାସନ ତରଫରୁ ସେମାନଙ୍କୁ ସୋରଳ ମୁକ୍ତିଶ୍ୱର ବିଦ୍ୟାପୀଠ କ୍ୱାରେଣ୍ଟାଇନ୍ ଗୃହରେ ରଖାଯାଇଛି । ଚେନ୍ନାଇରୁ ଚିକିଟି, ସାଇକେଲରେ ଫେରିଛନ୍ତି ଜଗନ୍ନାଥ ବେହେରା, ଭଗବାନ ବେହେରା, କହେଁଇ ବେହେରା, ଅଶୋକ ବେହେରା, ନମିତା ବେହେରା, ଟଙ୍କଧର ଜାନି ଓ ମୁନ୍ନା ନାୟକ । ସମସ୍ତେ ଶ୍ରମିକ ଭାବେ ଚେନ୍ନାଇରେ କାମ କରୁଥିଲେ । ମହାମାରୀ କରୋନା ପାଇଁ ସରକାର ଲକଡାଉନ୍ ଘୋଷଣା କରିବା ପରେ ଚିନ୍ତାରେ ପଡ଼ି ଯାଇଥିଲେ ଏମାନେ ।
ଅଜଣା ରାଇଜରେ ଆହାର ମୁଠାକ ପାଇଁ ସଂଘର୍ଷ କରିଥିଲେ । ଶେଷରେ ପ୍ରତିଦିନ ପ୍ରାୟ ୨୦୦ କିମି ସାଇକେଲ ଚଳାଇ ଗାଁରେ ପହଞ୍ଚିଛନ୍ତି । ୬ ଦିନର ଚିକିଟି ଯାତ୍ରାରେ ସମସ୍ତେ ଭୁଲି ଯାଇଥିଲେ ଖାଇବା, ପିଇବା ଓ ଶୋଇବା । ଆଖି ଆଗରେ ନାଚୁଥିଲା ନିଜ ଭିଟାମାଟି, ଗାଁ ଓ ପ୍ରିୟଜନ ।