ଚିକିଟୀ, ୨୧/୦୪ (ଋଷିକେଶ ବେହେରା) ; ଲକ୍ଡ଼ାଉନରେ ଫସିଥିବା ଓଡ଼ିଶା ଶ୍ରମିକମାନେ ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଆସିବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବା ଦେଖାଯାଇଛି । ସେହିଭଳି ଏକ ଅଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଚିକିଟି ବ୍ଳକ ପାତିସୁନପୁର ଗ୍ରାମର ୯ଜଣ ଦାଦନ ଶ୍ରମିକଙ୍କ କ୍ଷେତ୍ରରେ ଓ ସେମାନେ ପେଟପାଟଣା ପାଇଁ ସୁଦୂର ଚେନ୍ନାଇରେ କାମ କରିବାକୁ ଯାଇ ଲକ୍ଡ଼ାଉନରେ ଫସିଯାଇଥିଲେ । କିନ୍ତୁ ଘରକୁ ଫେରିବା ଲକ୍ଷ୍ୟରେ ଏକ ଅଭିନବ ଚିନ୍ତା କରି ଲକ୍ଷେ ଟଙ୍କା ବିନିମୟରେ ଏକ ଡ଼ଙ୍ଗା କିଣି ଚେନ୍ନାଇରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ପହଞ୍ଚିବା ପରେ ଆନ୍ଧ୍ର ପ୍ରଦେଶ କ୍ୱାରେଣ୍ଟାଇନରେ ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟପାଲଟିଛି । ଦୀର୍ଘ ୫ଦିନ କାଳ ସମୁଦ୍ରରେ ଡ଼ଙ୍ଗା ଚଳାଇ ୯ଜଣ ସାଙ୍ଗ ମିଶି ସୋମବାର ସକାଳୁ ଆନ୍ଦ୍ର ପ୍ରଦେଶ ଡଙ୍କାରି ଅଞ୍ଚଳରେ ପହଞ୍ଚି ଇଛାପୁର ମଣ୍ଡଳ ପ୍ରଶାସନ ସହଯୋଗାଯୋଗ କରିଥିଲେ । ପ୍ରଶାସନ ପହଞ୍ଚି ୯ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଇଛାପୁର ଡ଼ି.ପଲ ସ୍କୁଲ କ୍ୱାରେଣ୍ଟାଇନରେ ରଖିଥିବା ସ୍ଥାନୀୟ ସରପଞ୍ଚ ମଞ୍ଜୁଳା ବେହେରା ପ୍ରକାଶ କରିଛନ୍ତି । ଉପଜିଲ୍ଲାପାଳ ଏବଂ ସ୍ଥାନୀୟ ବିଡ଼ିଓ ଫାଲଗୁନି ମାଝି ଏ ସଂକ୍ରାନ୍ତରେ ଘଟଣାର ସମ୍ପୂର୍ଣ୍ଣ ସମୀକ୍ଷା କରି କ୍ୱାରେଣ୍ଟାଇନରୁ ୧୪ଦିନ ପରେ ଆବଶ୍ୟକୀୟ ପରୀକ୍ଷା ପରେ ଛଡ଼ାଯିବା ସୂଚନା ଦେଇଛନ୍ତି । ଏଭଳି ଏକ ବିରଳ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିପତ୍ତି ସମୟରେ ମାତୃଭୂମିର ମହନୀୟ ଅନୁଭବକୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଏ ଘଟଣାରେ ।