ହିଞ୍ଜିଳିକାଟୁ, ୨୧।୪ (ଶେଷଦେବ ସାହୁ) : ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ଏଯାବତ୍ କୌଣସି ପ୍ରତିଷେଧକ ଔଷଧ ବାହାରି ନଥିବା ବେଳେ କେବଳ ସାମାଜିକ ଦୂରତ୍ୱ ରକ୍ଷା ମାଧ୍ୟମରେ ରୋକାଯାାଇ ପାରିବ ବୋଲି ସରକାର ଏବଂ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ତେବେ ସୋମବାର ହିଂଜିଳିକାଟୁ ବ୍ଳକ ଅଂଚଳର ଜଣେ ୫୮ ବର୍ଷ ବୟସର ଜଣେ ବୃଦ୍ଧ ମହାରାଷ୍ଟ୍ର ମୁମ୍ବାଇରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୋମବାର ସକାଳ ପ୍ରାୟ ୯ ଘଂଟା ସମୟରେ ବୃଦ୍ଧ ଜଣକ ମୃତ୍ୟୁ ବରଣ କରିଥିବା ନେଇ ସଂପୃକ୍ତ ବୃଦ୍ଧଙ୍କ ପରିବାର ସଦସ୍ୟ ହିଂଜିଳିକାଟୁ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ । ପରେ ଘଟଣା ନେଇ ବ୍ଳକ ଅଧ୍ୟକ୍ଷ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ । ପ୍ରକାଶ ଥାଉକି, ମୃତ୍ୟୁ ବରଣ କରିଥିବା ବୃଦ୍ଧଙ୍କ ସ୍ତ୍ରୀ ମଧ୍ୟ କରୋନା ଭୁ୍ତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଗତ ୧୫ ଦିନ ପୂର୍ବେ ବୃଦ୍ଧ ଏବଂ ତାଙ୍କ ସ୍ତ୍ରୀ ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ବୃଦ୍ଧଙ୍କ ପୁଅ ଉଭୟ ମା ଓ ବାପାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରି କେଉଁଆଡେ଼ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ତେବେ ଗତ ୫ ବର୍ଷ ଧରି ସଂପୃକ୍ତ ପରିବାରର କୌଣସି ସଦସ୍ୟ ସ୍ଥାନୀୟ ଗ୍ରାମକୁ ଫେରିନଥିବା ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ କହିଛନ୍ତି । ଘଟଣା ସଂପୃକ୍ତ ଗ୍ରାମରେ ପ୍ରଚାରିତ ହେବା ପରେ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏ ନେଇ କୌଣସି ଭୟଭୀତ ନହେବା ପାଇଁ ଗ୍ରାମବାସୀଙ୍କୁ ବ୍ଳକ ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି ।