ପାତ୍ରପୁର, ୨୦/୦୪ (ଡ଼ିଏଚ); ଜଣେ ଗର୍ଭବତୀଙ୍କୁ ଭଡ଼ା ଗାଡ଼ିରେ ତାଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରି ବଦାନ୍ୟତା ଦେଖାଇଛନ୍ତି ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ । ପାତ୍ରପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ଅଙ୍କୁଲି ପଞ୍ଚାୟତ ବଣିଆ ବସା ଗ୍ରାମର ଧନେଶ୍ଵର ପ୍ରଧାନଙ୍କ ପତ୍ନୀ ସନ୍ତୋଷିନି ସାତ ମାସର ଗର୍ଭବତୀ ଅଛନ୍ତି । ଗତ ଶୁକ୍ରବାର ଦିନ ତାଙ୍କ ପେଟରେ ବହୁତ ଯନ୍ତ୍ରଣା ହୋଇଥିଲା । ମମତା କାର୍ଡ ନଥିବାରୁ ପାତ୍ରପୁର ଡାକ୍ତରଖାନାରେ ତାଙ୍କୁ ଚିକିତ୍ସାରେ ଅବହେଳା ହେଉଥିବା ସଂକ୍ରାନ୍ତରେ ଏକ ଖବର ପ୍ରକାଶ ପାଇଥିଲା । ତଥାପି କୌଣସି ସରକାରୀ ଅଧିକାରୀ ଉଭୟଙ୍କୁ ସାହାଯ୍ୟ କରିନଥିଲେ । ରବିବାର ଦିନ ଧନେଶ୍ଵର ଗର୍ଭବତୀ ପତ୍ନୀ ସନ୍ତୋଷିନୀଙ୍କୁ ଡଙ୍ଗାରେ ଆଣି ବାଘଲଟି ଗ୍ରାମରେ ଅଟକିବା ପରେ ଦମ୍ପତି ଜଣକ ସମ୍ବାଦ ପ୍ରତିନିଧି ନୀଳାଞ୍ଚଳ ପଟ୍ଟନାୟକ ଙ୍କୁ ଯୋଗାଯୋଗ କରିବାରୁ ସେ ୧୦୮ ଆମ୍ବୁଲାନ୍ସ କୁ କଲ୍ କରି ସନ୍ତୋସିନିଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଡାକ୍ତରଖାନାଙ୍କୁ ଅଣାଯାଇଥିଲା । ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏକ ଘରୋଇ କ୍ଲିନିକରେ ତାଙ୍କ ଆଲଟ୍ରା ସାଉଣ୍ଡ କରାଯାଇଥିଲା । କିନ୍ତୁ ପୁଣି କେମିତି ଗ୍ରାମକୁ ଫେରିବେ ଏଥିପାଇଁ ଚିନ୍ତା ଘାରିଥିବା ବେଳେ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ଯୋଗାଯୋଗ କରିଥିଲୁ । ସେ କରୋନା ମୁକାବିଲା ନେଇ ବ୍ୟସ୍ତ ଥିବା ସତ୍ତ୍ବେ ତାଙ୍କ ମାନବିକତା ଦେଖାଇ ସେ ଏକ ଭଡ଼ା ଗାଡ଼ି କରି ବାଘଲଟି ଜଳଭଣ୍ଡାର ପର୍ଯ୍ୟନ୍ତ ପଠାଇ ଥିଲେ । ସେଠାରୁ ସନ୍ତୋସିନୀ ଓ ଧନେଶ୍ଵର ଡଙ୍ଗା ଯୋଗେ ବଣିଆ ବସା ଗ୍ରାମକୁ ଫେରିଥିଲେ । ଥାନାଧିକାରୀଙ୍କ ଏପରି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।