ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏପର୍ୟ୍ୟନ୍ତ ଉଜ୍ଜ୍ଵଳା ହିତାଧିକାରୀଙ୍କୁ ୧.୫୧ କୋଟି ମାଗଣା ସିଲିଣ୍ଡର ବଣ୍ଟା ଯାଇଛି

172
ADVERTISEMENT

ନୂଆଦିଲ୍ଲୀ, ୧୭/୦୪ (ପିଆଇବି): ଚଳିତ ମାସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୧.୫୧ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ କେନ୍ଦ୍ର ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକଗୁଡିଏ ପଦକ୍ଷେପ ନେଇଛନ୍ତି । ସେଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ୮ କୋଟି ହିତାଧିକାରୀଙ୍କୁ ଏପ୍ରିଲ ରୁ ଜୁନ ମାସ ମଧ୍ୟରେ ୩ଟି ଗ୍ୟାସ ସିଲିଣ୍ଡର ଯୋଗାଇବାର ବ୍ୟବସ୍ଥା ରହିଛି । ଏହି ଯୋଜନାକୁ ତ୍ୱରାନ୍ୱିତ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଗ୍ରାହକମାନଙ୍କ ବ୍ୟାଙ୍କ ଖାତାକୁ ଅଗ୍ରୀମ ପଇସା ପଠାଇ ଦେଇଛନ୍ତି । ଏହି ଅର୍ଥକୁ ସେମାନେ ଏଲପିଜି ସିଲିଣ୍ଡର ପାଇଁ ବ୍ୟବହାର କରିପାରିବେ । ଦିନକୁ ତୈଳ ବିପଣନ କମ୍ପାନୀଗୁଡ଼ିକ ୫୦ ରୁ ୬୦ ଲକ୍ଷ ସିଲିଣ୍ଡର ଯୋଗାଉଥିବା ବେଳେ ସେଥିରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧୀନରେ ୧୮ ଲକ୍ଷ ମାଗଣା ସିଲିଣ୍ଡର ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଉଛି ।

ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସିଲିଣ୍ଡର ଘରେ ପହଞ୍ଚାଉଥିବା ୮୦୦ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ । ଏଥିରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । କରୋନା ମହାମାରୀ ସଂଗ୍ରାମର ଜଟିଳ ପରିସ୍ଥିତିରେ ଏମାନେ ସମ୍ମୁଖ ଯୋଦ୍ଧା ଭାବେ କାର୍ୟ୍ୟ ତୁଲାଉଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ସେମାନଙ୍କର କର୍ତ୍ତବ୍ୟନିଷ୍ଠାକୁ ପ୍ରଶଂସା କରି ମନ୍ତ୍ରୀ କହିଥିଲେ ଯେ, ସେମାନେ ଦିନକୁ ୬୦ ଲକ୍ଷ ପର୍ୟ୍ୟନ୍ତ ସିଲିଣ୍ଡର ଘରେ ଘରେ ପହଞ୍ଚାଉଛନ୍ତି । କଠିନ ପରିସ୍ଥିତିରେ ନିଜର କାର୍ୟ୍ୟ ସୁଚାରୁରୂପେ ତୁଲାଇ ସେମାନେ ସମାଜରେ ସ୍ଵତନ୍ତ୍ର ସମ୍ମାନର ପାତ୍ର ହେବା ସହ ଗରିବଙ୍କ ଆଶୀର୍ବାଦ ପାଉଛନ୍ତି ବୋଲି କହିଥିଲେ । ଘରେ ଘରେ ଏଲପିଜି ସିଲିଣ୍ଡର ପହଞ୍ଚାଉଥିବା ଏହି ବ୍ୟକ୍ତିମାନେ ନିଜର ଅଭିଜ୍ଞତା ମଧ୍ୟ ବଖାଣିଥିଲେ । କମ୍ପାନୀ ସେମାନଙ୍କୁ ସାବୁନ, ସାନିଟାଇଜର, ମାସ୍କ ଓ ଗ୍ଲୋବ୍ସ ଭଳି ନିରପତ୍ତା କିଟ ପ୍ରଦାନ କରିଛି ବୋଲି ପ୍ରକାଶ କରିଥିଲେ । ସିଲିଣ୍ଡରଗୁଡିକୁ ଘରେ ପହଞ୍ଚାଇବା ବେଳେ ସେମାନେ ସିଲିଣ୍ଡରକୁ ସାନିଟାଇଜ କରିବା ସହ ସାମାଜିକ ଦୂରତା ରକ୍ଷା କରୁଛନ୍ତି ବୋଲି କହିଥିଲେ । ସେମାନଙ୍କ ମଧ୍ୟରୁ କେତେକ ଗ୍ରାହକମାନଙ୍କୁ ସାମାଜିକ ଦୂରତ୍ଵ, ଆରୋଗ୍ୟ ସେତୁ ଆପର ଉପକାରିତା ଏବଂ ଅନଲାଇନ ଜରିଆରେ ଦେୟ ପ୍ରଦାନର ଉପକାରିତା ବୁଝାଇଥିଲେ । ସରକାର ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ସେମାନଙ୍କ ବୀମା ବ୍ୟବସ୍ଥା କରିଥିବାରୁ ସେମାନେ ଏଥିନେଇ କୃତଜ୍ଞତା ପ୍ରକାଶ କରିଥିଲେ । କେତେକ ପ୍ରଧାନମନ୍ତ୍ରୀଙ୍କ ରିଲିଫ ସହାୟତା ପାଣ୍ଠିକୁ ଅର୍ଥ ପ୍ରଦାନ କରିବା ସହ ଗରିବ ଓ ବୟସ୍କ ଲୋକମାନଙ୍କୁ ଆବଶ୍ୟକସ୍ଥଳେ ସହାୟତା କରୁଥିବା ପ୍ରକାଶ କରିଥିଲେ ।


Advertisement