କୋସାଗୁମୁଡ଼ା,୨୦।୩(ଡ଼ିଏଚ) : କେରଳରୁ ଫେରିଲେ ୮ଜଣ ଦାଦନ ଶ୍ରମିକ , କୋରନା ଭୟରେ ଚିକିତ୍ସା ପାଇଁ ଗଲେ ମେଡିକାଲ ,କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଚିକିତ୍ସା ନକରି ଗାଁ କୁ ପଠେଇଦେଲା , ଏଭଳି ଘଟଣା ଘଟିଛି କୋଷାଗୁମୁଡା ବ୍ଲକରେ । ପ୍ରାୟ ୧ ମାସ ତଳେ କୋଷାଗୁମୁଡା ବ୍ଲକ ପଣ୍ଡୁଗୁଡା ପଞ୍ଚାୟତ ଅନ୍ତର୍ଗତ ନେଗାଁନାଳ ଗ୍ରାମର ଧନୁର ନାୟକ , ଶିବରାମ ଭତରା , ଭଗବାନ ଭତରା, ଖଗପତି ନାୟକ , ରାମ ଭତରା , ସବାସିଂ ଭତରା ,ଖେମରାଜ ଭତରା ଓ ସୁଦୁ ଭତରା ଏହି ୮ ଜଣ ଦାଦନ ଖଟିବାକୁ କେରଳ ଯାଇଥିଲେ । ଏମାନେ କୋରନା ଭୟରେ ଗତକାଲି କେରଲରୁ ନିଜ ଗାଁକୁ ଫେରି ଆସିଥିଲେ । ସେମାନେ ଫେରିଆସିଥିବା ରୁ ଗାଁ ରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏହା ଜାଣି ଗାଁ ର ବାବୁରାମ ମାଝୀ ନାମକ ଜଣେ ଯୁବକ ପଣ୍ଡୁଗୁଡା ପଞ୍ଚାୟତର ସରପଞ୍ଚ ଟଙ୍କଧର ଭାତରଙ୍କ ସହିତ ମିଶି କେରଲରୁ ଆସିଥିବା ୮ଜଣ ଶ୍ରମିକ ମାନଙ୍କୁ କୋଷାଗୁମୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରୀକ୍ଷା କରିବାକୁ ନେଇଥିଲେ , କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କୁ କୌଣସି ପରୀକ୍ଷା କିମ୍ବା ଚିକିତ୍ସା ନକରି କେବଳ କିଛି ଉପଦେଶ ଦେଇ ପଠାଇ ଦେଇଥିବା ଗାଁ ର ଯୁବକ ବାବୁରାମ ମାଝୀ କହିଛନ୍ତି । ତାପରେ ସେମାନେ କୋଷାଗୁମୁଡା ବିଡ଼ିଓଙ୍କୁ ଭେଟିବାକୁ ବହୁ ସମୟ ବ୍ଲକ କାର୍ଯ୍ୟାଳୟ ନିକଟରେ ଅପେକ୍ଷା କରିଥିଲେ କିନ୍ତୁ ସେମାନେ ବିଡ଼ିଓଙ୍କୁ ମଧ୍ୟ ଭେଟି ପାରିନଥିଲେ । ଶେଷରେ ରାଜ୍ୟ ସରକାରଙ୍କ କୋରନା ହେଲ୍ପଲାଇନ ନମ୍ବରରେ ଫୋନ କରିବାରୁ ନିଶ୍ଚିତ ଏଥିନିମନ୍ତେ ସହଯୋଗ କରିବାକୁ କହିଥିବା ଉକ୍ତ ଯୁବକ ଜଣକ କହିଛନ୍ତି । ଏପଟେ ଦାଦନ ମାନଙ୍କୁ ପରିବାର ଲୋକେ ଅଲଗା ରଖିଥିବା ଜଣାପଡ଼ିଛି । ଉକ୍ତ ଶ୍ରମିକମାନେ ଏବେ ଭୟଭିତ ଅବସ୍ଥାରେ ଥିବା ଗ୍ରାମବାସୀ କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେବାକୁ ନେଗାଁନାଳ ଗ୍ରାମବାସୀ ଦାବି କରିଛନ୍ତି ।